ନୂଆଦିଲ୍ଲୀ, ୮।୧: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫେବୃୟାରୀ ୧୦ରୁ ହେବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଶନିବାର ସୂଚନା ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ସହିତ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ଫଳାଫଳ ମାର୍ଚ୍ଚ ୧୦ରେ ଘୋଷଣା ହେବା ପର୍ଯ୍ୟନ୍ତ ଏହା ଜାରି ରହିବ।
ଆଦର୍ଶ ଆଚରଣ ବିଧି ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀମାନଙ୍କ ପାଇଁ ପାଳନ କରିବା ବାଞ୍ଛନୀୟ।
୨୦୨୨ ଜାନୁୟାରୀ ୧୫ ପର୍ଯ୍ୟନ୍ତ କୌଣସି ରୋଡ୍ ଶୋ, ପଦଯାତ୍ରା, ସାଇକେଲ ରାଲି,ବାଇକ୍ ରାଲି, ଶୋଭାଯାତ୍ରା ଉପରେ ରୋକ ଲଗାଯାଇଛି। ସ୍ଥିତି ସମୀକ୍ଷା ପରେ ନୂତନ ନିର୍ଦ୍ଦେଶ ଜାରି କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।