Categories: ଜାତୀୟ

ମଶାଲ ଚିହ୍ନରେ ସନ୍ତୁଷ୍ଟ ଉଦ୍ଧବ ଗୋଷ୍ଠୀ: କହିଲେ, ଏହା ଏକ ବଡ଼ ବଜୟ

ନୂଆଦିଲ୍ଲୀ,୧୦।୧୦: ମହାରାଷ୍ଟ୍ରରେ ରାଜନୀତିରେ ନିର୍ବାଚନୀ ଚିହ୍ନକୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ଶିବସେନାର ଉଦ୍ଧବ ଠାକ୍‌ରେଙ୍କୁ ନିର୍ବାଚନ କମିଶନ(ଇସି) ସୋମବାର ‘ମଶାଲ’ ଚିହ୍ନ ପ୍ରଦାନ କରିଛନ୍ତି। ତ୍ରିଶୂଳ ଚିହ୍ନ ସହ ଧର୍ମୀୟ ସଂଯୋଗ ଥିବାରୁ ଏବଂ ଉଦିତ ସୂର୍ଯ୍ୟ ଡିଏମ୍‌କେର ଚିହ୍ନ ହୋଇଥିବାରୁ ଉକ୍ତ ଚିହ୍ନକୁ ଇସି ଖାରଜ କରିଦେଇଛନ୍ତି। ଏଥିସହ ଉଦ୍ଧବ ଗୋଷ୍ଠୀକୁ ଶିବସେନା (ଉଦ୍ଧବ ବାଲାସାହେବ ଠାକ୍‌ରେ) ନାଁ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀକୁ ବାଲାସାହେବାଞ୍ଚତ୍ ଶିବସେନା ନାଁ ଦିଆଯାଇଛି। ଅନ୍ୟପକ୍ଷରେ ଏହି ଗୋଷ୍ଠୀ ଦଳୀୟ ଚିହ୍ନ ପାଇଁ ଦେଇଥିବା ୩ଟି ପ୍ରସ୍ତାବକୁ ଇସି ଖାରଜ କରିଦେଇ ସାନି ଚିହ୍ନ ପ୍ରସ୍ତାବ ଦେବାକୁ କହିଛନ୍ତି। ଶିନ୍ଦେ ଗୋଷ୍ଠୀ ପକ୍ଷରୁ ତ୍ରିଶୂଳ, ଗଦା ଏବଂ ଉଦିତ ସୂର୍ଯ୍ୟ ଚିହ୍ନ ପ୍ରସ୍ତାବ ଦିଆଯାଇଥିଲା। ସୂଚନାଯୋଗ୍ୟ, ପ୍ରକୃତ ଶିବସେନା ଓ ଏହାର ଚିହ୍ନକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେବାରୁ ଅନ୍ଧେରୀ ଇଷ୍ଟ ବିଧାନସଭା ଉପନିର୍ବାଚନରେ ଉକ୍ତ ନାମ ଓ ଦଳୀୟ ଚିହ୍ନକୁ ବ୍ୟବହାର ନ କରିବାକୁ ଇସି ନିର୍ଦ୍ଦେଶ ଦେଇଥିଲେ।

 

Share