Categories: ଜାତୀୟ

ଉଦ୍ଧବ, ଶିନ୍ଦେଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ମାଗିଲେ ଇସି

ନୂଆଦିଲ୍ଲୀ,୨୩ା୭: ଶିବସେନା ଉପରେ କର୍ତ୍ତୃତ୍ୱକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଲଢ଼େଇ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ଦଳର ନେତୃତ୍ୱ କିଏ ନେବେ ତାହା ପ୍ରମାଣିତ କରିବା ଲାଗି ଉଭୟଙ୍କୁ ଅଗଷ୍ଟ ୮ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ। ଏହାପରେ ଏନେଇ କମିଶନ ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀ ଶିନ୍ଦେ ନିଜ ସପକ୍ଷରେ ଶିବସେନାର ପ୍ରାୟ ୪୦ ବିଧାୟକ ଥିବା ଦାବି କରି ଗତମାସରେ ବିଦ୍ରୋହ କରିଥିଲେ। ଏଥିସହ ଭାଜପା ସମର୍ଥନରେ ନୂଆ ସରକାର ଗଠନ କରିଥିଲେ। ଶିନ୍ଦେ ନିର୍ବାଚନ କମିଶନଙ୍କ ନିକଟକୁ ପତ୍ର ଲେଖି ତାଙ୍କୁ ୫୫ରୁ ୪୦ ବିଧାୟକ ଏବଂ ଲୋକ ସଭାର ୧୮ରୁ ୧୨ ସଦସ୍ୟ ସମର୍ଥନ କରୁଥିବା ଜଣାଇଥିଲେ। ଅନ୍ୟପକ୍ଷେ ଶିବସେନା ମୁଖ୍ୟ ଉଦ୍ଧବ ନିଜକୁ ଦଳର ଅସଲ ନିୟନ୍ତ୍ରକ ବୋଲି ଦାବି କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ନିର୍ବାଚନ କମିଶନ ଦୁଇଗୋଷ୍ଠୀଙ୍କୁ ପ୍ରାମାଣିକ ଦସ୍ତାବିଜ ଓ ଲିଖିତ ବିବୃତି ମାଗିଛନ୍ତି।

Share