Categories: ଜାତୀୟ

ବିହାର ନିର୍ବାଚନ ପାଇଁ ନୂଆ ଗାଇଡଲାଇନ ଜାରି କଲେ ନିର୍ବାଚନ କମିଶନ

ପାଟନା,୨୧।୮: କରୋନା ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ବିହାର ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ କମିଶନ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁସାରେ ଚଳିତ ଥର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଜରିଆରେ ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ ସିକ୍ୟୁରିଟି ମନିକୁ ମଧ୍ୟ ସେମାନେ ଅନ୍‌ଲାଇନ୍‌ ଜରିଆରେ ଜମା କରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି। ତେବେ ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳୁଛି, ଯେଉଁଠାରେ ନିର୍ବାଚନରେ କେହି ପ୍ରାର୍ଥୀ ସିକ୍ୟୁରିଟି ମନି ଅନ୍‌ଲାଇନ୍‌ରେ ଜମା କରିବେ। ସେହିପରି ଡୋର ଟୁ ଡୋର କ୍ୟାମ୍ପେନିଂ ପାଇଁ ପ୍ରାର୍ଥୀଙ୍କ ସହିତ ସର୍ବାଧିକ ୫ଜଣ ଲୋକ ରହିପାରିବେ। ଏତଦ୍‌ ବ୍ୟତୀତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁସାରେ ରୋଡ ଶୋ’ ଓ ସାର୍ବଜନୀକ ସଭା ମଧ୍ୟ ଅନୁଷ୍ଠିତ ହୋଇପାରିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ତେବେ କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ସମୟରେ ସତର୍କତା ଅବଲମ୍ବନ କରିବା ସହ ଫେସ୍‌ ମାସ୍କ, ସାନିଟାଇଜର, ଥର୍ମାଲ ସ୍କ୍ରିନିଂ, ଗ୍ଲୋଭସ୍‌, ଫେସ୍‌ ପିପି କିଟ୍‌ ବ୍ୟବହାର କରାଯିବ। ଏଥିସହ ସାମାଜିକ ଦୂରତ୍ୱ ନିୟମ ମଧ୍ୟ ପାଳନ କରାଯିବ। ସେହିଭଳି ମତଦାନ ଦିନ ଭୋଟରମାନେ ହ୍ୟାଣ୍ଡ ଗ୍ଲୋଭସ୍‌ ପିନ୍ଧି ଇଭିଏମ୍‌ ମେଶିନରେ ଭୋଟ ଦେବେ ବୋଲି ସୂଚନା ରହିଛି।

Share