Categories: ଜାତୀୟ

ପଶ୍ଚିମବଙ୍ଗକୁ ଅବଶିଷ୍ଟ ୪୮୫ କମ୍ପାନୀ କେନ୍ଦ୍ରୀୟ ବାହିନୀ ପଠାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ନିର୍ବାଚନ ଆୟୋଗ…

କୋଲକାତା,୨୫।୬ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ପୁନର୍ବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ଅବଶିଷ୍ଟ କେନ୍ଦ୍ରୀୟ ବାହିନୀ ପଠାଇବାକୁ ଦାବି କରିଛନ୍ତି। ସୂତ୍ର ଅନୁଯାୟୀ, ଅବଶିଷ୍ଟ ୪୮୫ କମ୍ପାନୀ କେନ୍ଦ୍ରୀୟ ବାହିନୀ ପଠାଇବା ପାଇଁ ରବିବାର ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କୁ ଚିଠି ପଠାଇଛନ୍ତି।

କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆୟୋଗ ଦୁଇଥର କେନ୍ଦ୍ର ସରକାରଙ୍କ ଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ମୋଟ ୮୨୨ କମ୍ପାନୀ କେନ୍ଦ୍ରୀୟ ବାହିନୀ ପଠାଇବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ନିର୍ବାଚନ କମିଶନର ରାଜୀବ ସିହ୍ନା ଶନିବାର ସନ୍ଧ୍ୟାରେ ରାଜ ଭବନରେ ପହଞ୍ଚି ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଭେଟିଥିଲେ। ଏହି ସମୟରେ, କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର କିଛି ୟୁନିଟ ରାଜ୍ୟରେ ପହଞ୍ଚି ବିଭିନ୍ନ ଅଞ୍ଚଳରେ ରୁଟ ମାର୍ଚ୍ଚ କରିଛନ୍ତି। ତଥାପି ସମସ୍ତ ସେଣ୍ଟ୍ରାଲ ଫୋର୍ସ ଦଳ ରାଜ୍ୟରେ ପହଞ୍ଚି ନାହାନ୍ତି।

ପଞ୍ଚାୟତ ନିର୍ବାଚନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ନିର୍ବାଚନ ଆୟୋଗ ପୂର୍ବରୁ ୨୨ କମ୍ପାନୀ କେନ୍ଦ୍ରୀୟ ବାହିନୀ ଆବଶ୍ୟକ କରିଥିଲେ। ହାଇକୋର୍ଟଙ୍କ ଭର୍ତ୍ସନା ଏବଂ ପୁନଃ ନିର୍ଦ୍ଦେଶ ପରେ ର୍ନିବାଚନ ଆୟୋଗ ୮୦୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଆୟୋଗର ଅନୁରୋଧ କ୍ରମେ ଗୃହ ମନ୍ତ୍ରଣାଳୟ ପ୍ରଥମ ୨୨ କମ୍ପାନୀ ଯବାନଙ୍କୁ ପଠାଇଛନ୍ତି। ସେମାନେ ରାଜ୍ୟରେ ପହଞ୍ଚି ସାରିଛନ୍ତି। ଜିଲା ଅନୁଯାୟୀ ସେମାନେ ରୁଟ ମାର୍ଚ୍ଚ ଆରମ୍ଭ କରିଛନ୍ତି । ପରେ, ୮୦୦ କମ୍ପାନୀ ମଧ୍ୟରୁ ୩୧୫ କମ୍ପାନୀ କେନ୍ଦ୍ରୀୟ ବାହିନୀ କେନ୍ଦ୍ର ସରକାର ପଠାଇଥିଲେ।

Share