Categories: ଜାତୀୟ

ଭାଜପାର ଏଜେନ୍ସି ପରି କାମ କରୁଛି ନିର୍ବାଚନ ଆୟୋଗ: କଂଗ୍ରେସ

ଦିସ୍‌ପୁର,୨୨।୬: ଆସାମ ପାଇଁ ଡେଲିମିଟେସନ ଡକ୍ୟୁମେଣ୍ଟ ଡ୍ରାଫ୍ଟ ଜାରି କରି ଉତ୍ତର-ପୂର୍ବ ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ୧୨୬ ଏବଂ ଲୋକସଭା ଆସନ ସଂଖ୍ୟା ୧୪ ରଖିବାକୁ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଏନେଇ ଭାଜପା ଏବଂ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛି ବିରୋଧୀ। ବିରୋଧୀଦଳ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆୟୋଗ ଏବଂ ଭାଜପା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି। ନିର୍ବାଚନ ଆୟୋଗ କ୍ଷମତାର ପ୍ରଭାବରେ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଏହି ପ୍ରସଙ୍ଗରେ ରାଜନୀତି ଜୋର ଧରିଛି।

ଆସାମପ୍ରଦେଶ କଂଗ୍ରେସ କମିଟି ସଭାପତି ଭୁପେନ ବୋରା ଡେଲିମିଟେସନ ଡକ୍ୟୁମେଣ୍ଟ ଡ୍ରାଫ ପ୍ରସ୍ତାବକୁ ନେଇ ଭାଜପା ଉପରେ ବର୍ଷିଛନ୍ତି। ଏଥିସହ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ବୋରା କହିଛନ୍ତି, ନିର୍ବାଚନ ଆୟୋଗ ଭାଜପର ଏକ ଏଜେନ୍ସି ଭଳି କାମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏମାନେ ଆସାମର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କୋର୍ଟ ଜୁଲାଇ ୨୫ରେ ମାମଲାର ଶୁଣାଣି ପାଇଁ ସ୍ଥିର କରିଛନ୍ତି।

ସୂଚନାଯୋଗ୍ୟ, ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ବିଧାନସଭା ଆସନକୁ ଆଠରୁ ନଅକୁ ଏବଂ ଅନୁସୂଚିତ ଜନଜାତିର ୧୬ ରୁ ୧୯କୁ ବୃଦ୍ଧି କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ନିର୍ବାଚନ ଆୟୋଗର ଡେଲିମିଟେସନ ଡ୍ରାଫ୍ଟରେ ଅନୁସୂଚିତ ଜନଜାତିଙ୍କ ପାଇଁ ୧୯ଟି ବିଧାନସଭା ଏବଂ ଦୁଇଟି ସଂସଦୀୟ ଆସନ ଏବଂ ଅନୁସୂଚିତ ଜାତି ପାଇଁ ନଅଟି ସଂସଦ ଆସନ ସଂରକ୍ଷଣ କରିବାକୁ ପ୍ରସ୍ତାବ ଦିଆଯାଇଛି।

Share