ଇମ୍ରାନ ଖାନ୍‌ଙ୍କୁ ଝଟ୍‌କା: ଅଯୋଗ୍ୟ ଘୋଷିତ କଲେ ନିର୍ବାଚନ କମିଶନର

ଇସ୍‌ଲାମାବାଦ୍‌,୨୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ଦୁର୍ନୀତିଗ୍ରସ୍ତ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଇସ୍‌ଲାମାବାଦ ନିର୍ବାଚନ କମିଶନର(ଇସିପି)। ଇମ୍ରାନ ଖାନ ଆଉ ସଂସଦର ସଦସ୍ୟ ନୁହଁନ୍ତି ବୋଲି ଶୁକ୍ରବାର ଇସିପି ଘୋଷଣା କରିଛି। ଦୁର୍ନୀତିଗ୍ରସ୍ତ ଆଚରଣ ପାଇଁ ଇମ୍ରାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇସିପି ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସିକନ୍ଦର ସୁଲତାନ ରାଜାଙ୍କ ନେତୃତ୍ୱରେ ଏକ ୪ଜଣିଆ ଖଣ୍ଡପୀଠ ଇସ୍‌ଲାମାବାଦର ଇସିପି ସଚିବାଳୟରେ ଏନେଇ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଏକ ୫ଜଣିଆ ଖଣ୍ଡପୀଠ ଦ୍ୱାରା ସର୍ବସମ୍ମତି କ୍ରମେ ନିଆଯାଇଛି। ତେବେ ଆଜିର ଘୋଷଣାରେ ପଞ୍ଜାବର ସଦସ୍ୟମାନେ ଉପସ୍ଥିତ ନ ଥିଲେ। ଅନ୍ୟପଟେ ଏହି ରାୟ ଅନୁଯାୟୀ, ମିଥ୍ୟା ବୟାନ ଦେବା ଅଭିଯୋଗରେ ଇମ୍ରାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ୨୦୧୮ରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହୋଇଥିଲେ। ଆରବ ଦେଶ ଗସ୍ତ ସମୟରେ ସେ ସେଠାରେ ଥିବା ଶାସକମାନଙ୍କ ଦ୍ୱାରା ମହଙ୍ଗା ଉପହାର ଗ୍ରହଣ କରିଥିଲେ। ଏହି ଉପହାରଗୁଡ଼ିବକୁ ଇମ୍ରାନ ତୋଷଖାନାରେ ଜମା କରିଥିଲେ। କିନ୍ତୁ ପରେ ଇମ୍ରାନ ତୋଷଖାନାରୁ ଶସ୍ତା ଦାମରେ କିଣି ଅଧିକ ଲାଭରେ ବିକ୍ରି କରିଥିଲେ। ତେବେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ତାଙ୍କ ସରକାର ଆଇନଗତ ଅନୁମତି ଦେଇଥିଲେ।

Share