ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଜରିମାନା ଲଗାଇଲେ ନିର୍ବାଚନ ଆୟୋଗ

ଇସ୍‌ଲାମାବାଦ,୨୨।୩: ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ ସମସ୍ୟା ଥମିବାର ନାଁ ନେଉନି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ନିର୍ବାଚନ ଆୟୋଗ ଜରିମାନା ଲଗାଇଛନ୍ତି। ସ୍ବାତର ଦର୍ଗାଇରେ ଏକ ଜନସଭା ଆୟୋଜିତ କରିବାକୁ ନେଇ ପାକିସ୍ତାନର ନିର୍ବାଚନ ଆୟୋଗ(ଇସିପି) ଇମ୍ରାନଙ୍କ ଉପରେ ୫୦ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୧୯ରେ ଏକ ଜନସଭାରେ ସାମିଲ ହେବା ନେଇ ଇମ୍ରାନଙ୍କୁ ୫୦ହଜାର ଟଙ୍କା ଜରିମାନା କରାଯାଇଥିଲା। ପାକିସ୍ତାନର ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଅନ୍ୟମାନଙ୍କୁ ଖେବର ପଖତୁନଖଓ୍ବ୍ବା ଜିଲାରେ ସାର୍ବଜନିକ ସଭାରେ ଯୋଗଦେବାକୁ ବାରଣ କରିଛନ୍ତି। ବିଶେଷକରି ଯେଉଁଠାରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ହେବାର ଅଛି। ତେବେ ଇମ୍ରାନଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି, ଖେବର ପଖତୁନୁଖୱା ମୁଖ୍ୟମନ୍ତ୍ରୀ ମହମୁଦ ଖାନ, ମୁରାଦ ସଇଦ ସମେତ ଅନ୍ୟ କେତେକ ବ୍ୟକ୍ତିଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି।

Share