Categories: ଜାତୀୟ

ଲୋକ ସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ

ନୂଆଦିଲ୍ଲୀ,୯ା୩: ଲୋକ ସଭା ନିର୍ବାଚନର ଘୋଷଣା ହେବାର ସପ୍ତାହେ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ଭାରତର ନିର୍ବାଚନ ଆୟୋଗ ପୂର୍ବରୁ ଏକ ପଦବୀ ଖାଲି ଥିଲା ବେଳେ ଏବେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରହିବ।

ମିଡ଼ିଆ ରିପୋର୍ଟ ଅନୁଯାୟୀ ଆସନ୍ତା ସପ୍ତାହରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଗୋଏଲଙ୍କ ଇସ୍ତଫା ବର୍ତ୍ତମାନ ନିର୍ବାଚନ ତାରିଖ ଘୋଷଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା କହିଛନ୍ତି ଗୋଏଲ। ତେବେ ସରକାର ତାଙ୍କୁ ବର୍ତମାନ ପଦ ନ ଛାଡିବାକୁ କହିଥିଲେ ମଧ୍ୟ ସେ ତାଙ୍କ ନିଷ୍ପତି ବଦଳାଇ ନ ଥିବା ସେ କହିଛନ୍ତି।

ଇସ୍ତଫା ପାଇଁ ସ୍ୱାସ୍ଥ୍ୟ ଏକ କାରଣ ବୋଲି କଳ୍ପନାଜଳ୍ପନାରେ କୁହାଯାଉଥିଲେ ମଧ୍ୟ ତାହା ପ୍ରକୃତ କାରଣ ନୁହେଁ ଏବଂ ଗୋଏଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସାଥି ଅଧିକାରୀ କହିଛନ୍ତି। ସେହିପରି ଜଣେ ଅଧିକାରୀ କହିଛନ୍ତି ଯେ ସରକାର ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ।

Share