ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇଥିଲେ।

ଆହୁରି ମଧ୍ୟ ଦେଖାଯାଇଥିଲା ଯେ, ହାଟଡିହୀ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ l ଏହି ସଭାରେ ବିଡିଓଙ୍କ ଉପସ୍ଥିତିକୁ ବିରୋଧ କରି ବିରୋଧୀ ଦଳର କେତେକ ନେତା ଓ କର୍ମୀ ପ୍ରଶ୍ନ ଉଠାଇବା ସହ ଆଚରଣବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଜିଲା ପ୍ରଶାସନର ଚିଠି(ନଂ.୧୨୨୦/୧୭.୫.୨୦୨) ଅନୁସାରେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ହାଟଡିହୀ ବିଡିଓ ପାଣିଗ୍ରାହୀଙ୍କୁ ବୈଠକ ସ୍ଥଳ, ଆନନ୍ଦପୁର ତହସିଲଦାର ସଂଗ୍ରାମ କେଶରୀ ଭୋଳଙ୍କୁ ହେଲିପ୍ୟାଡ଼, ହାଟଡିହୀ ତହସିଲଦାର ହାବିଲ ଖାଖାଙ୍କୁ କାରକେଡ଼ ଦାୟିତ୍ୱରେ ନିୟୋଜିତ କରାଯାଇଥିଲା।

ଏନେଇ ପାଣିଗ୍ରାହୀଙ୍କୁ ପଚାରିବାରୁ ମୋ ଉପସ୍ଥିତିକୁ ନେଇ ଅଭିଯୋଗ ଆସିଥିବା ଶୁଣିଛି l କିନ୍ତୁ ଉପର ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ଦାୟିତ୍ୱରେ ଥିବାରୁ ସଭା ଆରମ୍ଭ ପୂର୍ବରୁ ସଭା ମଞ୍ଚ ବୁଲି ଅନୁଧ୍ୟାନ କରିଥିଲି। ସଭା ଆରମ୍ଭର ବହୁ ପୂର୍ବରୁ ମଞ୍ଚ ତଳେ ଠିଆ ହୋଇ ସଭା ଶେଷ ପର୍ଯ୍ୟନ୍ତ ରହିଥିଲି । ଯେଉଁମାନେ ଏହି ଅଭିଯୋଗ ଆଣୁଛନ୍ତି ସେଥିରେ କୌଣସି ବାସ୍ତବତା ନାହିଁ ବୋଲି ପାଣିଗ୍ରାହୀ କହିଛନ୍ତି।

Share