୨୧ରେ ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ୱର, ୧୪।୧୧(ସୁନିତ୍‌ ମିଶ୍ର): ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୨୧ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି। ଏହିଦିନ ଖାଲି ପଡ଼ିଥିବା ଉପବାଚସ୍ପତି ପଦ ଲାଗି ସକାଳ ସାଢେ ୯ଟା ସମୟରେ ନିର୍ବାଚନ ହେବ। ଏହାର ପୂର୍ବଦିନ ଅର୍ଥାତ୍‌ ୨୦ ତାରିଖରେ ନାମାଙ୍କନପତ୍ର ଦାଖଲ ହେବା କାର୍ଯ୍ୟକ୍ରମ ରହିଛି। ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ଏହି ପଦବୀ ଖାଲିପଡ଼ିଛି। ତେବେ ଆସନ୍ତା ସାଧାରଣ ନିର୍ବାଚନକୁ କମ୍‌ ସମୟ ଥିବାରୁ ଏହି ପଦ ଖାଲିପଡ଼ିପାରେ ବୋଲି ଏକ ପ୍ରକାର ଆଲୋଚନା ଚାଲିଥିଲା। ତେବେ ଉପବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବ ସବୁ ସଦସ୍ୟଙ୍କୁ ଅବଗତ କରାଇଛନ୍ତି।
ଗୋଟିଏ ପଟେ ନିର୍ବାଚନକୁ କମ୍‌ ସମୟ ଥିବାବେଳେ ଉପବାଚସ୍ପତି ପଦରୁ ରଜନୀକାନ୍ତ ଇସ୍ତପା ଦେବା ଏବଂ ପୁଣି ଥରେ ଏହି ସମୟରେ ନିର୍ବାଚନ କରିବା ଲାଗି ଘୋଷଣା କରାଯିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏଭଳି ସମୟରେ ଦଳ ଏହି ପଦରେ କାହାକୁ ବସାଇବ ତାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି। ବିଧାନସଭାରେ ବିଭିନ୍ନ ଦଳର ଆସନ ସଂଖ୍ୟା ଉପରେ ନଜର ପକାଇଲେ ଜଣାପଡୁଛି ବିଜେଡି ପ୍ରାର୍ଥୀ ସହଜରେ ବିଜୟୀ ହେବେ। ସେପରି ଦେଖିବାକୁ ଗଲେ ଅନ୍ୟ ଦଳ ପ୍ରାର୍ଥୀ ନ ଦେଇପାରନ୍ତି ଏବଂ ଏଥିଲାଗି ଭୋଟ ମଧ୍ୟ ନ ହୋଇପାରେ।

Share