ପଶ୍ଚିମବଙ୍ଗ-ତାମିଲନାଡୁ-କେରଳ-ଆସାମ ପାଇଁ ନିର୍ବାଚନୀ ଥୋପ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ,କେରଳ ଓ ଆସାମ ଆଦି ୪ ରାଜ୍ୟ ପାଇଁ ନିର୍ବାଚନୀ ଥୋପ ପକାଯାଇଛି। ଏସବୁ ରାଜ୍ୟରେ ସଡ଼କ ଭିତ୍ତିଭୂମି ବିକାଶ ଲାଗି ୨.୨୭ ଲକ୍ଷ କୋଟି ଘୋଷଣା କରାଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗରେ କୋଲକାତା-ସିଲିଗୁଡ଼ି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସେହିପରି ରାଜ୍ୟରେ ୬୭୫ କିଲୋମିଟର ରାଜମାର୍ଗର ନିର୍ମାଣ ପାଇଁ ୨୫,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ତାମିଲନାଡୁରେ ୩୫୦୦ କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ଲାଗି ୧.୦୩ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି। କେରଳରେ ୧୧୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହେବ। ଏହା ସହିତ ମୁମ୍ବାଇ-କନ୍ୟାକୁମାରୀ କୋରିଡୋର ମଧ୍ୟ ନିର୍ମିତ ହେବ। ଏସବୁ ପାଇଁ ୬୫ ହଜାର କୋଟିର ବ୍ୟୟ ବରାଦ ହୋଇଛି। ଅପରପକ୍ଷରେ ଆସାମରେ ଜାତୀୟ ରାଜପଥ ନିର୍ମାଣ ଲାଗି ୩୪ ହଜାର କୋଟି ଟଙ୍କାର ଘୋଷଣା ଅର୍ଥମନ୍ତ୍ରୀ କରିଛନ୍ତି।

Share