ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି ହୋଇଛି। ପଞ୍ଚାୟତ ନିର୍ବାଚନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ଚିହ୍ନ, ସମିତି ସଭ୍ୟଙ୍କ ଲାଗି ୧୯ ପ୍ରକାର, ୱାର୍ଡ ମେମ୍ବର ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଲାଗି ୧୫ ପ୍ରକାର ଏବଂ ଜିଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର ଚିହ୍ନ ଜାରି କରାଯାଇଛି। ଏ ନେଇ ନିର୍ବାଚନ କମିଶନ ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
ଯେଉଁମାନେ ପ୍ରାର୍ଥୀ ହେବେ, ତାଲିକା ଫାଇନାଲ ହେବା ପରେ ଆଲଫାବେଟିକାଲ ଅର୍ଡରରେ ସଜାଯିବ। ଏହାପରେ ସେମାନଙ୍କୁ ସିମ୍ବଲ ଦିଆଯିବ। ଜିଲା ପରିଷଦ ସଭ୍ୟ ତାଲିକାକୁ ଶେଷକୁ ରଖାଯାଇଛି। ଅନ୍ୟ ରାଜ୍ୟରୁ ବାଲାଟ ବକ୍ସ ପହଞ୍ଚିଗଲାଣି। ରାଜ୍ୟରେ ବି କିଛି ବାଲାଟ ବକ୍ସ ତିଆରି ହୋଇଛି। ଭୋଟର ତାଲିକା ପ୍ରସ୍ତୁତି ଶେଷ ହୋଇ ପ୍ରକାଶ ପାଇ ସାରିଛି। କୋଭିଡ ପରିସ୍ଥିତିକୁ ଦେଖି ଗାଇଡଲାଇନ୍ ପ୍ରସ୍ତୁତ କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି।