Categories: ଜାତୀୟ

ନିର୍ବାଚନୀ ରାଲି ସମ୍ଭବ ନୁହେଁ

ନୂଆଦିଲ୍ଲୀ,୭।୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ବଡ଼ ରାଲି ଓ ରୋଡ୍‌ ଶୋ’ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ନୀତି ଆୟୋଗ ସଦସ୍ୟ ତଥା ଭାରତର କୋଭିଡ୍‌ ଟାସ୍କଫୋର୍ସ ମୁଖ୍ୟ ଭି.କେ. ପଲ୍‌ ଗୁରୁବାର ନିର୍ବାଚନ କମିଶନ (ଇସି)ଙ୍କୁ ଅବଗତ କରାଇଛନ୍ତି। ରାଜନୈତିକ ଦଳଗୁଡ଼ିକ ନିଜଆଡୁ ବୃହତ ରାଲି ଓ ରୋଡ୍‌ ଶୋ’ ବନ୍ଦ କରିଦେବା ଉଚିତ ବୋଲି ନିର୍ବାଚନ କମିଶନ କହିଛନ୍ତି। ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟର କୋଭିଡ୍‌ ସ୍ଥିତି ସମେତ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନ। ସଂକ୍ରମଣ ବୃଦ୍ଧି ସତ୍ତ୍ୱେ କିଭଳି ନିରାପଦର ସହ ଗଣତାନ୍ତ୍ରିକ ପ୍ରକ୍ରିୟା ଶେଷ ହେବ ସେନେଇ ଇସି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କଠାରୁ ମତାମତ ସଂଗ୍ରହ କରିଛନ୍ତି।
ଅନ୍ୟ ଏକ ବୈଠକରେ ଇସି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭାଲ୍ଲାଙ୍କ ସହ ଆଲୋଚନା କରିଥିଲେ। ଇସି ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସମେତ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଆଇସିଏମ୍‌ଆର୍‌ ମୁଖ୍ୟ ବଳରାମ ଭାର୍ଗବଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ୫ ରାଜ୍ୟରେ ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ କୋଭିଡ୍‌ ଟିକାଦାନ ଉପରେ ଇସି ଗୁରୁତ୍ୱ ଦେଇଛନ୍ତି।

Share