Categories: ଜାତୀୟ

ସ୍କୁଲ ପିଲାଙ୍କୁ ପଢ଼ାଯିବ ନିର୍ବାଚନୀ ପାଠ

ନୂଆଦିଲ୍ଲୀ,୩ା୧୧(ପି.ଟି.): ସାରା ଦେଶରେ ନିର୍ବାଚନ ସମ୍ପର୍କିତ ସାକ୍ଷରତା ପାଇଁ ବିଦ୍ୟାଳୟସ୍ତରରେ ପିଲାମାନଙ୍କୁ ପାଠ ପଢ଼ାଯିବ। ଏଥିପାଇଁ ନିର୍ବାଚନ କମିଶନ (ଇସି) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଗୁରୁବାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏମ୍‌ଓୟୁ ଅନୁଯାୟୀ ସବୁ ସ୍କୁଲ୍‌ର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠ୍ୟକ୍ରମରେ ସମନ୍ବିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ସାକ୍ଷରତା ସାମିଲ କରାଯିବ। ‘ଶ୍ରେଣୀଗୃହରୁ ମତଦାନ କେନ୍ଦ୍ର’ ବିଚାରଧାରା ସ୍କୁଲ୍‌ ପିଲାମାନଙ୍କୁ ସେମାନଙ୍କ ପ୍ରଥମ ଭୋଟ ପାଇଁ ପ୍ରସ୍ତୁତ କରିବ ବୋଲି ଇସି କହିଛନ୍ତି। ଏଥିପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍‌ସିଇଆର୍‌ଟି) ପାଠ୍ୟପୁସ୍ତକ ପ୍ରଚଳନ ଓ ଏଥିରେ ସଂଶୋଧନ କରିବ। ଏନେଇ ଏନ୍‌ସିଇଆର୍‌ଟି ରାଜ୍ୟ ଶିକ୍ଷା ବୋର୍ଡ ସମେତ ଅନ୍ୟାନ୍ୟ ଶିକ୍ଷା ବୋର୍ଡକୁ ପରାମର୍ଶ ଦେବ। ୨୦୧୯ ଲୋକ ସଭା ନିର୍ବାଚନରେ ୯୧ କୋଟି ଭୋଟରଙ୍କ ମଧ୍ୟରୁ ୨୯.୭ କୋଟି ଭୋଟ ଦେଇ ନ ଥିଲେ। ୬୭.୪ ପ୍ରତିଶତ ଭୋଟିଂକୁ ନିର୍ବାଚନ କମିଶନ ଏକ ଚ୍ୟାଲେଞ୍ଜ ଭାବେ ନେଇ ଏଥିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଚଳାଇଛନ୍ତି।

Share