ସାଲେପୁରରେ ନିର୍ବାଚନୀ ହିଂସା: ଭାଜପା ଏଜେଣ୍ଟଙ୍କୁ ପନିକିରେ ହାଣିଲେ

ଭୁବନେଶ୍ୱର,୧।୬: କେନ୍ଦ୍ରାପଡ଼ା ଲୋକସଭା ଅଧୀନ ସାଲେପୁର ମାଳଶାସନ ୧୮୪ ଏବଂ ୧୮୫ ନମ୍ବର ବୁଥରେ ନିର୍ବାଚନୀ ହିଂସା ଘଟିଛି। ଭାଜପା ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଏବଂ ୩ଜଣ ସମର୍ଥକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ବିଜେଡି ସମର୍ଥକ ସାମିଲ ଥିବା ଭାଜପା ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ ଅଭିଯୋଗ କରିଛନ୍ତି। ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଥ କ୍ୟାପଚରିଂକୁ ବିରୋଧ କରିବାରୁ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ପୋଲିସ ଉପସ୍ଥିତରେ କିପରି ପରିସ୍ଥିତି ଉପୁଜିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହତଙ୍କ କହିବା ଅନୁସାରେ, ଶତାଧିକ ବିଜେଡି ସମର୍ଥକ ବୁଥ ଭିତରକୁ ପଶି ବୁଥ କ୍ୟାପଚର କରିବାକୁ ଚେଷ୍ଟା କରୁଥିଲେ। ଏହାକୁ ବିରୋଧ କରିବାରୁ ହିଂସା କାଣ୍ଡ ଘଟିଥିଲା।

ଅନ୍ୟପକ୍ଷେ ଧାମନଗର ଦୋବଲ ପଞ୍ଚାୟତର ୧୫୧ ନମ୍ବର ବୁଥରେ ନିର୍ବାଚନୀ ହିଂସା ଘଟିଛି। ବୁଥ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

Share