Categories: ଜାତୀୟ

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା

କୋଲକାତା, ୩ା୭ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ଶାସକ ଓ ବିରୋଧୀ ଦଳ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ମୃତ୍ୟୁ ଘଟିବା ସହ ଉଭୟ ଦଳରୁ କେତେଜଣ ଆହତ ହୋଇଛନ୍ତି। ଦକ୍ଷିଣ ୨୪ ପ୍ରଗଣା ଜିଲାର ଫୁଲମାଲଞ୍ଚା ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡରେ ୫୨ ବର୍ଷୀୟ ଟିଏମ୍‌ସି କର୍ମୀ ଜିୟାରୁଲ ମୋଲ୍ଲା ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ମୁଲ୍ଲା ଟିଏମ୍‌ସି ନେତା ଅମରୁଲା ଲସ୍କରଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ଶାସକ ଦଳରେ ଅନ୍ତର୍ଦ୍ୱନ୍ଦ୍ୱର ସେ ଶିକାର ହୋଇଥିବା ଇଣ୍ଡିଆନ ସେକୁଲାର ଫ୍ରଣ୍ଟ (ଆଇଏସ୍‌ଏଫ୍‌)ର ସ୍ଥାନୀୟ ନେତା ଅଭିଯୋଗ କରିଛନ୍ତି। ବିରୋଧୀ ଗୋଷ୍ଠୀ ମୁଲ୍ଲାଙ୍କୁ ବାରମ୍ବାର ଧମକ ଦେଉଥିବା ନେଇ ସେ ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା ବୋଲି ତାଙ୍କ ଝିଅ ମନଓ୍ବାରା କହିଛନ୍ତି। କଥଲବେରିଆ ପଞ୍ଚାୟତରୁ ମନଓ୍ବାରା ଟିଏମ୍‌ସି ପ୍ରାର୍ଥୀ ହୋଇଛନ୍ତି। ଦଳର ଗୋଟିଏ ଗୋଷ୍ଠୀ ତାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ କରୁଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମନଓ୍ବାରା ଦାବି କରିଛନ୍ତି। ପଶ୍ଚିମ ମେଦିନିପୁର ଜିଲାର ବିଭିନ୍ନ ସ୍ଥାନରେ ରବିବାର ଟିଏମ୍‌ସି ସହ ସିପିଆଇ(ଏମ୍‌) ଏବଂ ଆଇଏସ୍‌ଏଫ୍‌ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ଜୁନ୍‌ ୯ରେ ନାମାଙ୍କନପତ୍ର ଦାଖଲଠାରୁ ହିଂସାକାଣ୍ଡ ଲାଗିରହିଛି। ଏପର୍ଯ୍ୟନ୍ତ ନିର୍ବାଚନୀ ହିଂସାରେ ୧୦ ଜଣଙ୍କ ଜୀବନ ଗଲାଣି।

Share