ନିର୍ବାଚନ ସରିଲା, ତେଲ ଦର ବଢ଼ିଲା

ଭୁବନେଶ୍ୱର,(ବ୍ୟୁରୋ) ନୂଆଦିଲ୍ଲୀ,୫ା୫: ଦେଶବାସୀ ଯାହା ଆଶଙ୍କା କରୁଥିଲେ ତାହା ବର୍ତ୍ତମାନ ସତ ହୋଇଛି। ପଶ୍ଚିମବଙ୍ଗ ସମେତ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଦେଶ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଥିଲା। ମହାମାରୀ ସମୟରେ ତେଲ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟି ଅତିଷ୍ଠ ହୋଇ ପଡ଼ିଥିଲେ। ନିର୍ବାଚନ ଅବଧିରେ ଦର ନ ବଢ଼ିଥିଲେ ମଧ୍ୟ ତୈଳ ବିପଣନ କମ୍ପାନୀଗୁଡିକ ନିର୍ବାଚନ ଶେଷ ହେବା ପରେ ଦର ବୃଦ୍ଧି ଜାରି ରଖିବେ ବୋଲି ପୂର୍ବରୁ ଯେଉଁ ଆକଳନ ହୋଇଥିଲା ତା’ର ବାସ୍ତବତା ବର୍ତ୍ତମାନ ଦେଖିବାକୁ ମିଳିଛି। ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଗୋଟିଏ ଦିନ ପରେ ତେଲ ଦର ପୁଣି ବୃଦ୍ଧି ପାଇଛି। ଗତ ୧୮ ଦିନ ପରେ ତେଲ ଦରରେ ଏଭଳି ପରିବର୍ତ୍ତନ ଘଟିଛି।
ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୫ ପଇସା ଏବଂ ଡିଜେଲ ୧୯ ପଇସା ବଢିଛି। ଫଳରେ ଏଠାରେ ପେଟ୍ରୋଲ ଦର ୯୧.୨୭ ଟଙ୍କା ଏବଂ ଡିଜେଲ ଦର ୮୮.୧୭ ଟଙ୍କା ଛୁଇଁଛିି। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ପେଟ୍ରୋଲ ୧୫ ପଇସା ଏବଂ ଡିଜେଲ ୧୮ ପଇସା ବୃଦ୍ଧି ଘଟିଛି। ଏଠାରେ ଦର ଯଥାକ୍ରମେ ୯୦.୫୫ ଟଙ୍କା ଓ ୮୦.୯୧ ଟଙ୍କା ରହିଛି। ସେହିଭଳି ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ଯଥାକ୍ରମେ ୯୨.୫୫ ଟଙ୍କା, ୯୦.୭୬ ଟଙ୍କା ଏବଂ ୯୬.୯୫ ଟଙ୍କା ରହିଛି। ଏହିସବୁ ମେଟ୍ରୋ ସହରରେ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୮୫.୯୦ ଟଙ୍କା, ୮୩.୭୮ ଟଙ୍କା ଏବଂ ୮୭.୯୮ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। ଗତ ୭ ମାସ ମଧ୍ୟରେ ତେଲ ଦର ଲଗାତର ବୃଦ୍ଧି ହେବା ଯୋଗୁ ସର୍ବୋଚ୍ଚ ରେକର୍ଡ ସ୍ତରରେ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଉପତ୍ାଦ ଶୁଳ୍କ ହ୍ରାସ ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଉନାହିଁ। ଗତ କିଛି ମାସ ହେଲା ଅନ୍ତର୍ଜାତୀୟ ବଜାରର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୨.୯୧ ଡଲାର ବଢିଛି। ଫଳରେ କମ୍ପାନୀ ବାଧ୍ୟ ହୋଇ ରିଟେଲ ଦରରେ ଏଭଳି ପରିବର୍ତ୍ତନ କରିଥିବା କୁହାଯାଇଛି। ସେହିଭଳି ବର୍ତ୍ତମାନ ସମୟରେ ଭାରତର କେତେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଉ କିଛି ସହର ୧୦୦ ନିକଟବର୍ତ୍ତୀ ରହିଛି। ସରକାର ଆବଶ୍ୟକ ପଦକ୍ଷେପ ନେଲେ ତେଲ ଦର ହ୍ରାସ ହୋଇପାରନ୍ତା ଏବଂ ଖାଉଟି ଆଶ୍ୱସ୍ତି ମିଳିପାରନ୍ତା ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଫେବୃୟାରୀ ୨୮ରୁ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ତେଲ ଦର ବଢ଼ି ନ ଥିଲେ ମଧ୍ୟ ଏହି ଅବଧିରେ ଦର ପ୍ରାୟ ୭୦ ପଇସା କମିଥିଲା।

Share