ନାଳନ୍ଦା,୨୯।୯: ଦେଶରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଦୋହରାଇଛନ୍ତି। ମଙ୍ଗଳବାର ନାଲନ୍ଦାରେ ସେ କହିଛନ୍ତି ଯେ ନିର୍ବାଚନ ଠିକ ସମୟରେ ହେବା ଜରୁରୀ ନୁହେଁ, କେନ୍ଦ୍ର ଏହା ପୂର୍ବରୁ ମଧ୍ୟ କରିପାରିବ। ଆମେ ୭-୮ ମାସ ହେବ ଏହା କହୁଛୁ।
ଅନ୍ୟପକ୍ଷରେ ଜାତିଭିତ୍ତିକ ଜନଗଣନା ସମ୍ପର୍କରେ କେନ୍ଦ୍ର ପକ୍ଷରୁ ସୋମବାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିବା ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ଆମେ ଜାତିଭିତ୍ତିକ ଜନଗଣନା ବିଷୟରେ କହିଥିଲୁ। ଜନଗଣନା କରିବା କେନ୍ଦ୍ରର କାର୍ଯ୍ୟ। ଜାତି ଜନଗଣନା କାର୍ଯ୍ୟ ପ୍ରାୟ ସମାପ୍ତ ହୋଇଛି। ପ୍ରତ୍ୟେକ ଜାତିର ବିକାଶ ପାଇଁ କାର୍ଯ୍ୟ କରାଯିବ। ରାଜ୍ୟର ବିକାଶ ପାଇଁ ଆମେ ଜାତିଭିତ୍ତିକ ଜନଗଣନା କରୁଛୁ।
ମୁମ୍ବାଇରେ ମିଳିତ ମେଣ୍ଟ ‘ଇଣ୍ଡିଆ’ ବୈଠକକୁ ନେଇ ନୀତୀଶ କୁମାର କହିଛନ୍ତି, ମୁଁ କହିସାରିଛି ଯେ ମୁଁ କୌଣସି ପଦ ଚାହୁଁ ନାହିଁ। ମୋର କୌଣସି ବ୍ୟକ୍ତିଗତ ଇଚ୍ଛା ନାହିଁ। ଆମର ଲକ୍ଷ୍ୟ ହେଉଛି ସମସ୍ତେ ଏକଜୁଟ ହେବା ଉଚିତ୍।