Categories: ଜାତୀୟ

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ ଏହି ଆସନରେ ଲଢ଼ିପାରନ୍ତି ବୋଲି କୁହାଯାଉଥିଲେ ହେଁ ସେଭଳି କିଛି ସଙ୍କେତ ମିଳିନାହିଁ। ସେ ଆମେଠିରୁ ଲଢ଼ିବାକୁ ଇଚ୍ଛୁକ ନ ଥିବାରୁ ଦଳର କର୍ମକର୍ତ୍ତା ହତାଶ ଏବଂ ନିରାଶ ହୋଇପଡ଼ିଛନ୍ତି। ଅପରପକ୍ଷେ ବିରୋଧୀ ଭାଜପାର ପ୍ରାର୍ଥୀ ସ୍ମୃତି ଇରାନୀ ଏଠାରେ ନାମାଙ୍କନ ଦାଖଲ କରିସାରିଛନ୍ତି। ହେଲେ କଂଗ୍ରେସର ପ୍ରାର୍ଥୀର ଖୋଜ ଖବର ନାହିଁ।

ଆମେଠିରେ ପ୍ରାର୍ଥୀ ନ ଦେବାକୁ ନେଇ ଗୌରୀଗଞ୍ଜସ୍ଥିତ କଂଗ୍ରେସ ଭବନ ପରିସରରେ ମଙ୍ଗଳବାର ଅପରାହ୍ନରେ ବ୍ଲକ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅବନୀଶ ମିଶ୍ରା ସେନାନି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ଗଛରେ ଝୁଲି ପଡ଼ିବାକୁ ଉଦ୍ୟମ କରିଥିଲେ ହେଁ ସମୟ ଥାଇ ତାଙ୍କୁ କର୍ମୀମାନେ ବଞ୍ଚାଇ ପାରିଥିଲେ।

ଏହି ମାମଲାରେ ପଚରାଯିବାରେ ଅବନୀଶ କହିଛନ୍ତି, ଆମେ ୫ ବର୍ଷ ଧରି ପରିଶ୍ରମ କରୁଛୁ। ଗାଁ ଗାଁ ବୁଲି ଦଳକୁ ସାଂଗଠନିକସ୍ତରରେ ମଜଭୂତ କରିଛୁ। ପ୍ରାୟ ସମସ୍ତ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଆମେଠିର ଜନସାଧାରଣ ଆମକୁ ପ୍ରଶ୍ନ କରୁଛନ୍ତି। ଆମକୁ ଉତ୍ତର ଦେବାକୁ ପଡ଼ୁଛି। ତେବେ କାଲି ପର୍ଯ୍ୟନ୍ତ ରାହୁଲ ଆମେଠିରୁ ନିଜ ନାମ ଘୋଷଣା ନ କଲେ ମୁଁ ଆତ୍ମହତ୍ୟା କରିନେବି। ଇତିହାସରେ ଲେଖା ରହିବ ଯେ ଗାନ୍ଧୀ ପରିବାର ଲାଗି ଜଣେ ଆତ୍ମହତ୍ୟା କରିଥିଲେ ବୋଲି। ଆମର ମନ ଖରାପ ହୋଇ ସାରିଛି। ଏଣୁ ଗାନ୍ଧୀ ପରିବାରକୁ ଏଠାରୁ ନିର୍ବାଚନ ଲଢ଼ିବାକୁ ହେବ ବୋଲି ସେ କହିଛନ୍ତି।

Share