Categories: ଜାତୀୟ

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି, ଯାହାକି କଂଗ୍ରେସ ପାଇଁ ସର୍‌ପ୍ରାଇଜ୍‌ ଭଳି ହେବ। କୁହାଯାଉଛି ଯେ ଭାଜପା ଏହି ଆସନରୁ ପ୍ରିୟଙ୍କାଙ୍କ ବିରୋଧରେ ଲଢ଼ିବା ପାଇଁ ବରୁଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ତେବେ କଂଗ୍ରେସ ପକ୍ଷରୁ ଏଯାବତ ପ୍ରାର୍ଥୀ ଘୋଷଣା କରାଯାଇ ନ ଥିଲେ ହେଁ ପ୍ରିୟଙ୍କାଙ୍କ ନାମକୁ ନେଇ ଆଲୋଚନା ଜୋର ଧରୁଛି। ଦଳର କର୍ମକର୍ତ୍ତା ଏହି ପ୍ରତିଷ୍ଠିତ ଆସନ ଲାଗି ପ୍ରିୟଙ୍କା ଠିକ୍‌ ରହିବେ ବୋଲି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପରେ ଚାପ ପକାଉଛନ୍ତି।

ରାଏବରେଲି ହେଉଛି ଏଭଳି ଏକ ଆସନ ଯେଉଁଠାରୁ ଫିରୋଜ ଗାନ୍ଧି, ଇନ୍ଦିରା ଗାନ୍ଧି, ଅରୁଣ ନେହେରୁ, ସୋନିଆ ଗାନ୍ଧି ପ୍ରମୁଖ କଂଗ୍ରେସ ନେତା ନିର୍ବାଚନ ଲଢ଼ିଛନ୍ତି। ଦୁଇ ଦଶକରୁ ଅଧିକ ସମୟ ଧରି ଏହି ଆସନରେ ସୋନିଆ ଜିତି ଆସୁଥିଲେ। ହେଲେ ନିକଟରେ ସେ ରାଜ୍ୟ ସଭା ଏମ୍‌ପି ହେବାକୁ ନିଷ୍ପତ୍ତି ନେଇ ଚମକାଇଥିଲେ। ଏବେ ଏହି ଆସନରେ ଝିଅ ପ୍ରିୟଙ୍କାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଛି।

ତେବେ ନିକଟରେ ଏକ ସାକ୍ଷାତକାରରେ ବରୁଣ କହିଥିଲେ ଯେ, ଗୋପନୀୟତା ଯୋଗୁ ସାର୍ବଜନିକ ଭାବେ ତାଙ୍କ ପ୍ରାର୍ଥୀତ୍ୱ ଉପରେ ଆଲୋଚନା କରିବା ଠିକ୍‌ ହେବ ନାହିଁ ବୋଲି କହିଥିଲେ। ଏହାଛଡ଼ା ସର୍ବଦା ନିର୍ବାଚନ ବ୍ୟକ୍ତି ନୁହେଁ ବରଂ ପ୍ରସଙ୍ଗକୁ ନେଇ ହେବା ଉଚିତ ବୋଲି କହିଥିଲେ। ଏହି ବୟାନକୁ ନେଇ ତାଙ୍କର ରାଏବରେଲିରୁ ଲଢ଼ିବା ନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି।

Share