Categories: ଜାତୀୟ

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଭାଜପାରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ତେବେ ନିଜର ଇସ୍ତଫାପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇଛନ୍ତି। ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବଂ ହିମାଚଳ ପ୍ରଦେଶର ଏଆଇସିସି ସହ ପ୍ରଭାରୀ ପଦରୁ ତତ୍କାଳ ପ୍ରଭାବ ସହ ଇସ୍ତଫା ଦେଉଥିବା ଇସ୍ତଫାପତ୍ରରେ ତାଜିନ୍ଦର ଦର୍ଶାଇଛନ୍ତି। ତେବେ ଗତ କିଛି ଦିନ ଧରି ସେ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କାରଣ ସେ ଭାଜପାର ବଡ଼ ବଡ଼ ନେତାଙ୍କ ସହ ବୈଠକ କରୁଥିଲେ।

ପ୍ରକାଶ ଯେ, ହିମାଚଳ ପ୍ରଦେଶରେ ନିକଟରେ କଂଗ୍ରେସ ସରକାରର ଅଡ଼ୁଆ ବଢ଼ିବାରେ ଲାଗିଛି। କାରଣ ଏଠାରେ ୬ ବିଧାୟକ ବିଦ୍ରୋହ କରିଥିଲେ। ରାଜ୍ୟ ସଭା ନିର୍ବାଚନ ସମୟରେ ଏହି ଏମ୍‌ଏଲ୍‌ ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଫଳରେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଭିଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହାପରେ ସମସ୍ତ ବିଧାୟକ ଭାଜପାରେ ଯୋଗ ଦେଇଥିଲେ। ହେଲେ କୌଣସି ପ୍ରକାରେ ସୁଖୁଙ୍କ ସରକାର ଭାଙ୍ଗିବାରୁ ବର୍ତ୍ତି ଯାଇଥିଲା।

Share