Categories: ଜାତୀୟ

କଶ୍ମୀରରେ ଠିକ୍‌ ସମୟରେ ନିର୍ବାଚନ ହେବ: ଇସି

ନୂଆଦିଲ୍ଲୀ/ଶ୍ରୀନଗର୧୦ା୧୦ : ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ଠିକ୍‌ ସମୟରେ ନିର୍ବାଚନ କରାଯିବ ବୋଲି ସୋମବାର ନିର୍ବାଚନ କମିଶନ (ଇସି) କହିଛନ୍ତି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଖବରଦାତା ସମ୍ମିଳନୀରେ ତାରିଖ ଘୋଷଣା କରିବା ଅବସରରେ ଏହା ସ୍ପଷ୍ଟ କରିଛନ୍ତି। କମିଶନ ଯେତେବେଳେ ଅନୁଭବ କରିବେ କଶ୍ମୀରରେ ନିର୍ବାଚନ ପାଇଁ ସମୟ ଉପଯୁକ୍ତ, ସେତେବେଳେ ପଦକ୍ଷେପ ଗ୍ରହଣ କରାଯିବ। ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ମାଗଣା ସୁବିଧା ଓ ସହାୟତା ଘୋଷଣା କରୁଥିବାରୁ ମୁଖ୍ୟ ନିର୍ବାଚନ କମିଶନର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ମାଗଣା ସୁବିଧା କେଉଁଠୁ ଆସୁଛି, ତାହା ଜନସାଧାରଣ ଜାଣିବା ଆବଶ୍ୟକ ବୋଲି ସିଇସି କହିଛନ୍ତି।
ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ଇସି ତାରିଖ ଘୋଷଣା ନ କଲେ ଜନସାଧାରଣ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇବେ ବୋଲି ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଛନ୍ତି।

Share