ଚାନ୍ଦବାଲି,୨୧।୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତର ଜିଆରଏସ୍ ପୁରୁଷୋତ୍ତମ ବାରିକଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ପାଇଁ ଗୁରୁବାର ଚାକିରିରୁ ଅନ୍ତର(ଡିସ୍ଏନ୍ଗେଜ୍ଡ) କରାଯାଇଛି। ଉକ୍ତ ପଞ୍ଚାୟତର ପିଇଓ ଧୀରେନ୍ଦ୍ର କୁମାର ନାୟକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ବିଡିଓ ଜ୍ୟୋତିବିକାଶ ଦାଶ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଚଳିତ ମାସ ୧୩ ତାରିଖରେ ଉକ୍ତ ପଞ୍ଚାୟତର କାର୍ଯ୍ୟାଳୟରେ ଏକ ରାଜନୈତିକ ଦଳର କର୍ମୀଙ୍କର ବୈଠକ ହୋଇଥିଲା। ଏ ନେଇ ପଞ୍ଚାୟତର ଅନ୍ୟ ଦଳର କେତେକ ଲୋକ ଆପତ୍ତି ଉଠାଇଥିଲେ। ଭାଜପା ପକ୍ଷରୁ ଅଭିଯୋଗ ହୋଇ ୧୯ ତାରିଖରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ସହିତ କେତେକ ଫଟୋ ଓ ଭିଡିଓ ଫୁଟେଜ୍ ଦେଖାଇ ଜିଆର୍ଏସ୍ ବାରିକଙ୍କୁ ନିଲମ୍ବନ ପାଇଁ ଦାବି କରିଥିଲେ। ଗୁରୁବାର ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଚିଠି ନଂ.୧୨୯୦ ଅନୁସାରେ ବାରିକଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ଭଦ୍ରକ ଜିଲାପାଳଙ୍କୁ ଜଣାଇଥିଲେ। ଭଦ୍ରକ ଜିଲାପାଳ ଚିଠି ନଂ ୩୧୪ ବଳରେ ବାରିକଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି । ଏହା ସହିତ ଅନ୍ୟ ଏକ ନିର୍ଦ୍ଦେଶନାମାରେ ପିିଇଓ ନାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।