ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୨(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ପାର୍ଲାମେଣ୍ଟରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ହେବାକୁ ଥିବା ମେଘାଳୟ, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, କର୍ନାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା ବିଧାନସଭା ଏବଂ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପଞ୍ଚମ ପୂର୍ଣ୍ଣାଙ୍ଗ ବଜେଟ ସମ୍ପୂର୍ଣ୍ଣ ଭାବେ ସମର୍ପିତ ହୋଇଥିବା ଦେଖିବାକୁ ମିଳିଛି। ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ଏଥିରେ ବିଶେଷକରି ମଧ୍ୟବିତ୍ତ ଓ ମହିଳାଙ୍କୁ ଅଧିକ ଫୋକସ୍ କରାଯାଇଛି। ବଜେଟରେ ଆୟକର ଟିକସ ସ୍ଲାବରେ ପରିବର୍ତ୍ତନ ଓ ସରଳୀକରଣ କରାଯାଇ ମଧ୍ୟବିତ୍ତ ବର୍ଗଙ୍କୁ ସନ୍ତୁଷ୍ଟ କରିବା ଲାଗି ପ୍ରୟାସ ହୋଇଛି। କୃଷିକ୍ଷେତ୍ରରେ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇରେ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ସହାୟତା, ରେଲ୍ଓ୍ବେ ଓ ପ୍ରତିରକ୍ଷାକୁ ଅଧିକ ବ୍ୟୟବରାଦ କରାଯାଇଛି।
ବଜେଟରେ କେଉଁ ସାମଗ୍ରୀ ଶସ୍ତା ଓ ମହଙ୍ଗା ହୋଇଥାଏ, ତାହା ଉପରେ ସମାଜର ପ୍ରତ୍ୟେକ ବର୍ଗର ଲୋକେ ଅନାଇ ରହିଥାଆନ୍ତି। ଏଥର ବଜେଟରେ ମୋବାଇଲ ଫୋନ୍, ଟେଲିଭିଜନ, ଗବେଷଣାଗାରରେ ପ୍ରସ୍ତୁତ ହୀରା, ଚିଙ୍ଗୁଡ଼ି ଖାଦ୍ୟ, ଲିଥିୟମ ଆୟନ ବ୍ୟାଟେରି ବ୍ୟବହୃତ ମେଶିନ ଏବଂ ଇଲେକ୍ଟ୍ରିକ୍ ଯାନ ପାଇଁ ବ୍ୟବହୃତ କଞ୍ଚାମାଲ ଆଦି ଦ୍ରବ୍ୟ ଶସ୍ତା କରାଯାଇଛି। ଅନ୍ୟପକ୍ଷରେ ସିଗାରେଟ, ସୁନା, ରୁପା, ଇମିଟେଶନ ଜୁଏଲେରି, ଆମଦାନୀ ହେଉଥିବା ସାଇକେଲ ଓ ଖେଳଣା, ରୋଷେଇ ଲାଗି ଇଲେକ୍ଟ୍ରିକାଲ ଚିମିନି, ବିଳାସପୂର୍ଣ୍ଣ କାର ଓ ଇମ୍ପୋର୍ଟେଡ୍ ବିଦ୍ୟୁତ୍ ଚାଳିତ ଯାନ ମହଙ୍ଗା ହେବ ବୋଲି ଜଣାପଡ଼ିଛି।
‘ସପ୍ତଋଷି’ ନାମରେ ୭ଟି ବିନ୍ଦୁ- ସମାବେଶୀ ବିକାଶ (ଇନ୍କ୍ଲୁସିଭ୍ ଡେଭଲପ୍ମେଣ୍ଟ), ଶେଷ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା (ରିଚିଙ୍ଗ୍ ଦି ଲାଷ୍ଟ ମାଇଲ୍), ଭିତ୍ତିଭୂମି ଓ ପୁଞ୍ଜିନିବେଶ (ଇନ୍ଫ୍ରାଷ୍ଟ୍ରକ୍ଚର ଆଣ୍ଡ୍ ଇନ୍ଭେଷ୍ଟମେଣ୍ଟ), ସାମର୍ଥ୍ୟର ଉପଯୋଗ (ଅନ୍ଲିସିଙ୍ଗ୍ ଦି ପୋଟେନ୍ସିଆଲ୍), ସବୁଜ ଅଭିବୃଦ୍ଧି (ଗ୍ରୀନ୍ ଗ୍ରୋଥ୍), ଯୁବଶକ୍ତି (ୟୁଥ୍ ପାଓ୍ବାର) ଓ ଆର୍ଥିକ କ୍ଷେତ୍ର (ଫାଇନାନ୍ସ ସେକ୍ଟର) ଉପରେ ବଜେଟକୁ କେନ୍ଦ୍ରିତ କରାଯାଇଛି। ବଜେଟରେ ଋଣକୁ ବାଦ୍ଦେଇ ମୋଟ ପ୍ରାପ୍ତି ୨୭.୨ ଲକ୍ଷ କୋଟି ଓ ସମୁଦାୟ ବ୍ୟୟ ୪୫ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି। ତେବେ ନେଟ୍ ଟିକସ ପ୍ରାପ୍ତି ୨୩.୩ ଲକ୍ଷ କୋଟି ଟଙ୍କା ରହିବା ଅନୁମାନ କରାଯାଇଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି।
ବାଦାମୀ ରଙ୍ଗର ଶାଢ଼ି ପିନ୍ଧି ଅର୍ଥମନ୍ତ୍ରୀ ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ୧ ଘଣ୍ଟା ୨୫ ମିନିଟ୍ ଅବଧି ବିଶିଷ୍ଟ ଅଭିଭାଷଣର ପ୍ରାରମ୍ଭରେ ଏହାକୁ ଅମୃତକାଳର ପ୍ରଥମ ବଜେଟ ବୋଲି ଅଭିହିତ କରିଛନ୍ତି। ସ୍ବାଧୀନତାର ୭୫ବର୍ଷ ପୂର୍ଣ୍ଣ କରିଥିବାରୁ ବିଶ୍ୱରେ ଭାରତୀୟ ଅର୍ଥନୀତି ଉଜ୍ଜ୍ୱଳ ତାରକା ସଦୃଶ ଜାଜ୍ୱଲ୍ୟମାନ ହୋଇଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ୭ ପ୍ରତିଶତ ଆକଳନ କରାଯାଇଛି, ଯାହା ବୃହତ୍ ଅର୍ଥନୀତିଗୁଡ଼ିକ ମଧ୍ୟରେ ଅଗ୍ରଣୀ ସ୍ଥାନ ହାସଲ କରିଛି। କୋଭିଡ୍-୧୯ ଓ ଯୁଦ୍ଧ ଯୋଗୁ ବୈଶ୍ୱିକ ସ୍ତରରେ ମାନ୍ଦାବସ୍ଥା ଦେଖାଦେଇଥିବା ସତ୍ତ୍ୱେ ଭାରତୀୟ ଅର୍ଥନୀତି ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଗତି କରୁଛି ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି। ଆମେ ଏକ ସମୃଦ୍ଧ ଓ ସମାବେଶୀ ଭାରତ ଗଠନର ଲକ୍ଷ୍ୟ ରଖିଛୁ, ଯେଉଁଠି ବିକାଶର ଲାଭ ସମସ୍ତ ନାଗରିକ ଓ ସବୁ ଅଞ୍ଚଳରେ ପହଞ୍ଚତ୍ ପାରିବ। ମୁଖ୍ୟତଃ କୃଷକ, ମହିଳା, ଯୁବବର୍ଗ, ତଫସିଲଭୁକ୍ତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆବର୍ଗ ଯେପରି ଉପକୃତ ହୋଇପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଲକ୍ଷ୍ୟ ପୂରଣ ପାଇଁ ଉଦ୍ଦିଷ୍ଟ ଅର୍ଥନୈତିକ କାର୍ଯ୍ୟସୂଚୀ ୩ଟି ଅଗ୍ରାଧିକାର କ୍ଷେତ୍ର ଉପରେ କେନ୍ଦ୍ରିତ କରାଯାଇଛି। ସେଗୁଡ଼ିକ ହେଲା ଯୁବବର୍ଗ ସମେତ ନାଗରିକଙ୍କ ଆଶାଆକାଂକ୍ଷା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ, ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସହ ନିଯୁକ୍ତି ସୃଷ୍ଟି କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ ଏବଂ ସ୍ଥୂଳ ଅର୍ଥନୈତିକ ସ୍ଥିରତାକୁ ସୁଦୃଢ଼ କରିବା। ଏହି ଅବସରରେ ଅର୍ଥମନ୍ତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଗ୍ରାମୀଣ ଜୀବିକା ମିଶନ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଉଲ୍ଲେଖ କରି ସୀତାରାମନ କହିଛନ୍ତି ଯେ, ଗ୍ରାମାଞ୍ଚଳର ମହିଳାଙ୍କୁ ଏକଜୁଟ୍ କରାଯାଇ ୮୧ ଲକ୍ଷ ଏସ୍ଏଚ୍ଜି ଗଠନ କରାଯାଇଛି। ବର୍ତ୍ତମାନ ଏହି ମହିଳାମାନଙ୍କୁ ଆର୍ଥିକ ସଶକ୍ତୀକରଣର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ। ସେହିପରି ପିଏମ୍ ବିଶ୍ୱକର୍ମା କୌଶଳ ସମ୍ମାନ ଯୋଜନା ବିଷୟରେ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ପାରମ୍ପରିକ କାରିଗରମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ।
ଭାରତରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ତାହାର ଲାଭ ଉଠାଇ ଅଧିକରୁ ଅଧିକ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ମିଶନ ମୋଡ୍ରେ ପର୍ଯ୍ୟଟକ ପ୍ରୋତ୍ସାହନ ନାମରେ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କ୍ଷେତ୍ରରେ କର୍ମନିଯୁକ୍ତି ଓ ରୋଜଗାରର ପ୍ରଚୁର ସମ୍ଭାବନା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଥିରେ ରାଜ୍ୟଗୁଡ଼ିକର ସକ୍ରିୟ ସହଯୋଗ ରହିବ। ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ସମ୍ମିଶ୍ରଣ କରାଯିବା ସହିତ ସରକାରୀ-ଘରୋଇ ସହଭାଗିତାରେ ଏହି କ୍ଷେତ୍ର କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ସରକାର ଗ୍ରୀନ୍ ଗ୍ରୋଥ୍ ଉପରେ ଅଗ୍ରାଧିକାର ଦେଉଛନ୍ତି। ଅଙ୍ଗାରକାମ୍ଳ ନିର୍ଗମନକୁ ଯଥାସମ୍ଭବ ହ୍ରାସ କରି ପରିବେଶକୁ ନିର୍ମଳ ରଖିବା ତଥା ଅଙ୍ଗାରମୁକ୍ତ ଅର୍ଥନୀତି ଗଠନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ସରକାର ସବୁଜ ଇନ୍ଧନ, ସବୁଜ ଶକ୍ତି, ପ୍ରଦୂଷଣମୁକ୍ତ ଚାଷ, ପ୍ରଦୂଷଣମୁକ୍ତ ଗମନାଗମନ, ସବୁଜ ଉପକରଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରଦୂଷଣର ପ୍ରଭାବ ଯେପରି ନ ରୁହେ, ସେଥିଲାଗି ସରକାର ପ୍ରୟାସଶୀଳ ବୋଲି ବଜେଟରେ ଅବତାରଣା କରାଯାଇଛି। ୨୦୩୦ ସୁଦ୍ଧା ଦେଶରେ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ୫ ନିୟୁତ ଟନ୍ରେ ପହଞ୍ଚାଇବା ଲାଗି ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ନ୍ୟାଶନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନରେ ପ୍ରାଥମିକ ପର୍ଯ୍ୟାୟରେ ୧୯,୭୪୪ କୋଟି ଟଙ୍କା ବ୍ୟୟ କରାଯିବ। ଲଦାଖରୁ ଅକ୍ଷୟଶକ୍ତି ଗ୍ରୀଡ୍ ସଂଯୋଗ ଓ ସ୍ଥାନାନ୍ତର ଲାଗି ୨୦,୭୦୦ କୋଟି ଟଙ୍କାର ନିବେଶ କରାଯିବ ବୋଲି ବଜେଟରେ ବ୍ୟବସ୍ଥା କରାଯାଇଛି।
ଗ୍ରାମାଞ୍ଚଳର ଅର୍ଥନୀତିକୁ ତ୍ୱରାନ୍ବିତ କରିବା ପାଇଁ କୃଷିକ୍ଷେତ୍ରକୁ ଜୋର୍ ଦିଆଯାଇଛି। ଆଗାମୀ ୫ ବର୍ଷରେ ସରକାର ଗଁାଗୁଡ଼ିକରେ ବହୁସଂଖ୍ୟକ ବହୁମୁଖୀ ସମବାୟ ସମିତି, ପ୍ରାଥମିକ ମତ୍ସ୍ୟ ସମିତି ଓ ଡାଏରି କୋ-ଅପରେଟିଭ୍ ସୋସାଇଟି ପ୍ରତିଷ୍ଠା କରିବେ। ‘ସହକାର ଜରିଆରେ ସମୃଦ୍ଧି’ ପରିଯୋଜନାକୁ ସାକାର କରିବାରେ ଏହା ସହାୟକ ହେବ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ୨,୫୧୬ କୋଟି ଟଙ୍କା ବ୍ୟୟରେ ୬୩,୦୦୦ ପ୍ରାଇମେରି ଏଗ୍ରିକଲ୍ଚର କ୍ରେଡିଟ୍ ସୋସାଇଟି (ପିଏସିଏସ୍)ର କମ୍ପ୍ୟୁଟରୀକରଣ କରାଯାଇଛି। ଆଗାମୀ ୩ ବର୍ଷ ମଧ୍ୟରେ ୧ କୋଟି ଚାଷୀଙ୍କୁ ଜୈବିକ କୃଷି ଆପଣାଇବା ପାଇଁ ପ୍ରୋତ୍ସାହନ ଦିଆଯିବ। ୨୦୨୪ ପାଇଁ କୃଷି ଋଣ ଟାର୍ଗେଟକୁ ୨୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ପ୍ରତିରକ୍ଷା ବାବଦ ବ୍ୟୟବରାଦ ୫.୯୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବବର୍ଷ ତୁଳନାରେ ୧୩% ଅଧିକ। ଗତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ବଜେଟରେ ୫.୨୫ ଲକ୍ଷ କୋଟି ଟଙ୍କା ରଖାଯାଇଥିଲା। ଅନୁରୂପ ଭାବେ ରେଲଓ୍ବେ ପାଇଁ ସର୍ବାଧିକ ୨.୪୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୧୩-୧୪ ଆର୍ଥତ୍କ ବର୍ଷର ବ୍ୟୟବରାଦ ତୁଳନାରେ ଏହା ୯ ଗୁଣ ଅଧିକ। କୋଇଲା, ସାର ଏବଂ ଖାଦ୍ୟଶସ୍ୟ ସେକ୍ଟରଗୁଡ଼ିକ ପାଇଁ ଆରମ୍ଭ ଓ ଶେଷ ମାଇଲ୍ ସଂଯୋଗ ନିମନ୍ତେ ୧୦୦ଟି ଗୁରୁତ୍ୱପୂର୍ଣ୍ଣ ପରିବହନ ଭିତ୍ତିଭୂମି ପ୍ରକଳ୍ପକୁ ଚିହ୍ନଟ କରାଯାଇଛି।
କେନ୍ଦ୍ର ସରକାର ବଜେଟରେ ବହୁପ୍ରତୀକ୍ଷିତ ବ୍ୟକ୍ତିଗତ ଆୟକର ସୀମା ବୃଦ୍ଧି କରିଛନ୍ତି। ଏଣିକି ବାର୍ଷିକ ୭ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଟାକ୍ସ ଦେବାକୁ ପଡ଼ିବ ନାହଁ। ପୂର୍ବରୁ ଆୟକର ଛାଡ଼ ସୀମା ୫ ଲକ୍ଷ ଟଙ୍କା ଥିଲା। ତେବେ ଏଥିପାଇଁ ଏକ ସର୍ତ୍ତ ରହିଛି। ଯେଉଁମାନେ ୨୦୨୦ରେ ପ୍ରବର୍ତ୍ତିତ ନୂଆ ଟାକ୍ସ ବ୍ୟବସ୍ଥା ଚୟନ କରିବେ, ସେମାନଙ୍କ ପାଇଁ ଏହି ପରିବର୍ତ୍ତିତ ରିହାତି ଲାଗୁ ହେବ। ନୂଆ ଟାକ୍ସ ବ୍ୟବସ୍ଥାରେ ଏଣିକି ୫ ଥାକିଆ ଢାଞ୍ଚା ଲାଗୁହେବା ସହ ନୋ-ଟାକ୍ସ ସ୍ଲାବ୍କୁ ୫୦,୦୦୦ ଟଙ୍କା ବଢ଼ାଯାଇଛି। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ।
ଜରିମାନା ଏବଂ ଜାମିନ ଅମାନତ ଅର୍ଥ ଜମା କରିବାରେ ଅକ୍ଷମ ଗରିବ ବନ୍ଦୀମାନଙ୍କୁ ସରକାର ଆର୍ଥତ୍କ ସହାୟତା ଯୋଗାଇଦେବେ। ଦେଶରେ ଆଉ ୫୦ଟି ବିମାନବନ୍ଦର, ହେଲିପୋର୍ଟ, ଓ୍ବାଟର ଏରୋଡ୍ରମ୍ ଏବଂ ଅଗ୍ରିମ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ପୁନଃବିକଶିତ କରାଯିବ। ୨୦୧୪ ପରଠାରୁ ନିର୍ମାଣ ହୋଇଥିବା ୧୫୭ ମେଡିକାଲ କଲେଜ ପାଖରେ ୧୫୭ଟି ନର୍ସିଂ କଲେଜ ପ୍ରତିଷ୍ଠା କରାଯିବ। ଦେଶରେ ଥିବା ୭୪୦ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ୩.୫ ଲକ୍ଷରୁ ଅଧିକ ଜନଜାତି ଛାତ୍ରୀଛାତ୍ର ପଢୁଛନ୍ତି। ଆଗାମୀ ୩ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏସବୁ ସ୍କୁଲରେ ୩୮,୯୦୦ ଶିକ୍ଷକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦେବେ ବୋଲି ବଜେଟରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟୟ ଅଟକଳ ପରମାଣକୁ ୬୬% ବୃଦ୍ଧି କରାଯାଇ ୭୯ ହଜାର କୋଟି ଟଙ୍କା କରାଯାଇଛି। ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ଜମାରାଶି ସୀମାକୁ ଦୁଇଗୁଣ ବଢ଼ାଇ ୩୦ ଲକ୍ଷ ଟଙ୍କା କରିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ଏହି ଯୋଜନାରେ ସର୍ବାଧିକ ଜମାରାଶି ସୀମା ୧୫ ଲକ୍ଷ ଟଙ୍କା ରହିଥିଲା। ଦେଶରେ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ବ୍ୟୟକୁ ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକି ଜିଡିପିର ୩.୩ ପ୍ରତିଶତ। ଏହା ପୂର୍ବ ବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ। ପିଲା ଓ କିଶୋରମାନଙ୍କ ଲାଗି ନ୍ୟାଶନାଲ ଡିଜିଟାଲ ଲାଇବ୍ରେରି ସ୍ଥାପନ ହେବ। ରାଜ୍ୟଗୁଡ଼ିକୁ ପଞ୍ଚାୟତ ଏବଂ ଓ୍ବାର୍ଡସ୍ତରରେ ଲାଇବ୍ରେରି ଖୋଲିବା ପାଇଁ ପ୍ରୋତ୍ସାହିତ କରାଯିବ।
ଭାରତକୁ ‘ଶ୍ରୀ ଅନ୍ନ’ର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଲାଗି ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଲେଟ ରସର୍ଚ୍ଚକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ। ଭାରତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରୟୋଗ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ କାର୍ଯ୍ୟ କରିବା ସକାଶେ ଦେଶର ଶୀର୍ଷ ଅନୁଷ୍ଠାନରେ ୩ଟି ଉତ୍କୃଷ୍ଟ କେନ୍ଦ୍ର ପ୍ରତିଷ୍ଠା କରାଯିବ। ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ଠିକଣା ମିଳାଇବା ଲାଗି ଓ୍ବାନ୍ ଷ୍ଟପ୍ ସମାଧାନ ବ୍ୟବସ୍ଥା କରାଯିବ, ଯେଉଁଥିରେ ଡିଜି ଲକର ସେବା ଓ ଆଧାରକୁ ଅସଲି ପରିଚୟ ରୂପେ ପ୍ରୟୋଗ କରାଯିବ। ନିର୍ଦ୍ଦିଷ୍ଟ ସରକାରୀ ଏଜେନ୍ସିର ସମସ୍ତ ଡିଜିଟାଲ ବ୍ୟବସ୍ଥା ଲାଗି ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍) ସାଧାରଣ ପରିଚୟପତ୍ର ରୂପେ ପ୍ରୟୋଗ କରାଯିବ। ଏହାଦ୍ୱାରା ବ୍ୟବସାୟ ସହଜ ହେବ।
ଅନ୍ୟପକ୍ଷରେ ବଜେଟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)କୁ ଅଣଦେଖା କରାଯାଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ଏଥିରେ ୩୨% କମ୍ ବ୍ୟୟବରାଦ ହୋଇଛି।
ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଏକକ ନୂଆ ଲଘୁ ସଞ୍ଚୟ ଯୋଜନା, ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଆରମ୍ଭ କରାଯିବ। ମହିଳା କିମ୍ବା କିଶୋରୀଙ୍କ ନାମରେ ଆଂଶିକ ଉଠାଣ ବିକଳ୍ପ ସହିତ ୨ବର୍ଷର ଅବଧି ଲାଗି ୭.୫% ନିୟମିତ ସୁଧ ଦରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ସୁବିଧା ପାଇଁ ବଜେଟରେ ପ୍ରସ୍ତାବ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି।
ରାଜ୍ୟଗୁଡ଼ିକ ପାଇଁ ସମ୍ପୂର୍ଣ୍ଣ ୫୦ ବର୍ଷୀୟ ଋଣକୁ ୨୦୨୩-୨୪ ମଧ୍ୟରେ ପୁଞ୍ଜିଗତ ବ୍ୟୟ ଉପରେ ଖର୍ଚ୍ଚ କରାଯିବ। ଏଥିରୁ ଅଧିକାଂଶ ଋଣ ବ୍ୟୟ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିବ। କିନ୍ତୁ ଏହି ଋଣର ଗୋଟିଏ ଭାଗ ସେମାନଙ୍କ ଦ୍ୱାରା ବାସ୍ତବ ପୁଞ୍ଜି ବ୍ୟୟକୁ ବଢ଼ାଇବା ସର୍ତ୍ତରେ ଦିଆଯିବ। ରାଜ୍ୟଗୁଡ଼ିକୁ ଜିଏସ୍ଡିପିର ୩.୫%ର ରାଜକୋଷୀୟ ନିଅଣ୍ଟ ପାଇଁ ଅନୁମତି ମିଳିବ, ଯାହାର ୦.୫% ବିଦ୍ୟୁତ୍ କ୍ଷେତ୍ରରେ ସୁଧାର ସହିତ ଯୋଡ଼ାଯିବ। ଆର୍ଥତ୍କ ଅଭିବୃଦ୍ଧି ପାଇଁ ବ୍ୟୟ ଆବଶ୍ୟକତା ପୂରଣ କରିବା ନିମନ୍ତେ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ୧୫.୪ ଲକ୍ଷ କୋଟି ଟଙ୍କା ଋଣ କରିବାକୁ ଯୋଜନା କରିଛନ୍ତି।
ବଜେଟ ସବୁ ବର୍ଗର ଲୋକଙ୍କ ସ୍ବପ୍ନ ପୂରା କରିବ: ପ୍ରଧାନମନ୍ତ୍ରୀ
ଚଳିତବର୍ଷର ପୂର୍ଣ୍ଣ ଆର୍ଥିକ ବଜେଟ ଦେଶର ମଧ୍ୟବିତ୍ତ, ବଞ୍ଚିତ ବର୍ଗ ଏବଂ କୃଷକଙ୍କ ସ୍ବପ୍ନକୁ ପୂରା କରିବ ବୋଲି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାରତ ଭଳି ବିକାଶଶୀଳ ରାଷ୍ଟ୍ରର ଉନ୍ନତି ଦିଗରେ ମଧ୍ୟବିତ୍ତ ବର୍ଗଙ୍କ ପ୍ରମୁଖ ଭୂମିକା ରହିଛି। ସେମାନଙ୍କ ସ୍ବାର୍ଥରକ୍ଷା ଦିଗରେ ଭାଜପା ସରକାର ବହୁମୁଖୀ ପଦକ୍ଷେପମାନ ନେଉଥିବା ଅଭିଭାଷଣରେ ସେ କହିଛନ୍ତି। ଦେଶରେ ଡିଜିଟାଲ୍ ପେମେଣ୍ଟର ଚାହିଦା ବଢ଼ିଥିବାବେଳେ କୃଷି କ୍ଷେତ୍ରରେ ଡିଜିଟାଲ ଇମ୍ଫ୍ରାଷ୍ଟ୍ରକ୍ଚରର ବ୍ୟବହାର କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଯୋଗୁ ଗ୍ରାମାଞ୍ଚଳ ଅର୍ଥନୀତିକୁ ଉନ୍ନତୀକରଣ କରାଯାଇପାରିବ। ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ। ଦେଶର ‘ଅମୃତ କାଳ’ ପାଇଁ ଏହା ପ୍ରଥମ ବଜେଟ ହୋଇଥିବାବେଳେ ସମାଜ ବଞ୍ଚିତ ବର୍ଗଙ୍କ ବିକାଶ ଦିଗରେ ମଧ୍ୟ ଦୃଷ୍ଟି ଦିଆଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ ତାଙ୍କ ଟିମ୍ ଏ ପ୍ରକାର ଐତିହାସିକ ବଜେଟ ପ୍ରସ୍ତୁତ କରିବା ନେଇ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।