Categories: ବାଣିଜ୍ୟ

କାରଖାନା ପରିସରରେ ଚାଲିବ ବୈଦ୍ୟୁତିକ ଯାନ

ଭୁବନେଶ୍ୱର,୨୭।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଗୋ ଗ୍ରୀନ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ ଜେଏସ୍‌ପି ଅନୁଗୋଳ ଇସ୍ପାତ କାରଖାନା ପରିସରରେ ଉକ୍ତ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜେଏସ୍‌ପି ଅନୁଗୋଳ କାରଖାନା ପରିସରରେ ଗମନାଗମନ ପାଇଁ ୧୦ଟି ଇଲେକ୍ଟ୍ରିକ୍‌ ବସ୍‌ ଏବଂ ୨୭ଟି ଇଲେକ୍ଟ୍ରିକ୍‌ ଭେଇକିଲ (ଇଭି) ନିୟୋଜିତ ହୋଇଛି। ଅପରପକ୍ଷରେ ପରିବେଶର ନିରନ୍ତରତା ଏବଂ ଡିକାର୍ବୋନାଇଜେଶନ ପ୍ରୟାସ ପ୍ରତି ଜେଏସ୍‌ପିର ପ୍ରତିବଦ୍ଧତା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏହି ଅବସରରେ ଜେଏସ୍‌ପିର ଅଧ୍ୟକ୍ଷ ନବୀନ ଜିନ୍ଦଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଇଲେକ୍ଟ୍ରିକ୍‌ ଯାନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ପରିବେଶର ନିରନ୍ତରତା ପାଇଁ ଜେଏସ୍‌ପିର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେହିଭଳି ଜେଏସ୍‌ପିରେ ଆମେ ନିରନ୍ତର ଅଭିବୃଦ୍ଧି ଏବଂ ପରିବେଶ ସୁରକ୍ଷା ପାଇଁ ସର୍ବଦା ପ୍ରୟାସରତ ଥିବାବେଳେ ପ୍ଲାଣ୍ଟ ପରିସରରେ ଇଭି ଯାନର ପ୍ରଚଳନ ଏବଂ ଅନୁଗୋଳ ୟୁନିଟ୍‌ରେ ବ୍ୟାପକ ସୌରଶକ୍ତି ୟୁନିଟ୍‌ କାର୍ଯ୍ୟକ୍ଷମ ହେବା ସହିତ ନେଟ୍‌ ଜିରୋ ହାସଲ କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ବଚ୍ଛ ଏବଂ ସବୁଜ ପୃଥିବୀ ନିର୍ମାଣ ଦିଗରେ ଆମର ପ୍ରତିବଦ୍ଧତାକୁ ପୂରଣ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଜିନ୍ଦଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିପରି ଜେଏସ୍‌ପି ଅନୁଗୋଳ କାରଖାନା ପରିସରରେ ମୋଟ ୨୭ଟି ଇଲେକ୍ଟ୍ରିକ୍‌ ବସ୍‌ ଓ ୪୫ଟି ଇଲେକ୍ଟ୍ରିକ୍‌ ଏସ୍‌ୟୁଭି ଯାନ ପାଇଁ ମଧ୍ୟ ଅର୍ଡର ଦିଆଯାଇଛି। ଉପରୋକ୍ତ ସଂଖ୍ୟକ ସମସ୍ତ ଯାନ ଶୂନ୍ୟ-ନିର୍ଗମନ ବା ଜିରୋ ଏମିଶନ୍‌ ଯାନ ଭାବେ କାର୍ଯ୍ୟକ୍ଷମ ହେବ। ଏହି ପରିବର୍ତ୍ତନ କାରଖାନାସ୍ତରରେ କାର୍ବନ ନିର୍ଗମନକୁ ହ୍ରାସ କରିବା ସହ କାରଖାନା ପରିସରରେ ଦୁଇଚକିଆ ଯାନର ବ୍ୟବହାରକୁ ଦୂର କରିବା ସହ ପରିଚାଳନାଗତ ନିରାପତ୍ତା ମଧ୍ୟ ବୃଦ୍ଧି କରିବ।

Share