Categories: ଜାତୀୟ

ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୩୦ା୪: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଇଛି। ଏଭଳି ସମୟରେ କୋଇଲାର ଉତ୍କଟ ଅଭାବ ଯୋଗୁ ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଫଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକୁ କୋଇଲା ଯୋଗାଣ ତ୍ୱରାନ୍ବିତ କରିବା ଲାଗି ରେଲଓ୍ବେ ପକ୍ଷରୁ ୧୬ ମେଲ୍‌ ଓ ଏକ୍ସପ୍ରେସ୍‌ ସମେତ ୪୨ଟି ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି। ମେ’ ୨୪ ପର୍ଯ୍ୟନ୍ତ ୬୭୦ ପାସେଞ୍ଜର ଟ୍ରେନ୍‌ ଟ୍ରିପ୍‌ ବାତିଲ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟରେ ମାତ୍ର ଅଳ୍ପ କେତେଦିନ ପାଇଁ କୋଇଲା ଗଚ୍ଛିତ ରହିଛି। ତେଣୁ ଥର୍ମାଲ୍‌ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କୋଇଲା ଯୋଗାଇବା ଲାଗି ରେଲ୍‌ଓ୍ବେ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରୀବାହୀ ଟ୍ରେନ୍‌ ସେବା ସ୍ବାଭାବିକ ହେବ ବୋଲି ରେଲଓ୍ବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୌରବ କ୍ରିଷ୍ଣ ବଂଶଲ କହିଛନ୍ତି।
ବିଭିନ୍ନ ରାଜ୍ୟରେ କୋଇଲା ଅଭାବ ଦେଖାଦେଇଛି। କେନ୍ଦ୍ରୀୟ ବିଦ୍ୟୁତ୍‌ କର୍ତ୍ତୃପକ୍ଷ (ସିଇଏ) ସୂଚନା ଅନୁଯାୟୀ ୧୬୫ ତାପଜ ବିଦ୍ୟୁତ୍‌ କେନ୍ଦ୍ର ମଧ୍ୟରୁ ୫୬ଟିରେ ୧୦ ପ୍ରତିଶତ କିମ୍ବା ଏହାଠାରୁ କମ୍‌ କୋଇଲା ଗଚ୍ଛିତ ରହିଛିି। ୨୬ଟି ପ୍ଲାଣ୍ଟରେ ଏହି ପରିମାଣ ୫ ପ୍ରତିଶତରୁ କମ୍‌ ରହିଥିବା ଜଣାପଡ଼ିଛି। ପ୍ଲାଣ୍ଟଗୁଡ଼ିକରେ ଅନୂ୍ୟନ ୨୧ ଦିନ ପାଇଁ କୋଇଲା ଗଚ୍ଛିତ ରହିବା ଆବଶ୍ୟକ। ଦିଲ୍ଲୀର କେତେକ ପ୍ଲାଣ୍ଟରେ ମାତ୍ର ଗୋଟିଏ ଦିନ ପାଇଁ କୋଇଲା ରହିଥିବା ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। କୋଇଲା ସଙ୍କଟ ଯୋଗୁ ବିଭିନ୍ନ ଶିଳ୍ପସଂସ୍ଥାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି।

Share