
ଦାରିଙ୍ଗବାଡି, ୭।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ସୋମବାର ଷ୍ଟେଟ ବ୍ୟାଙ୍କର ଏଟିଏମ୍ ଅଚଳ ସହ ବିଏସଏନଏଲ ଏବଂ ଘରୋଇ ଅନୁଷ୍ଠାନର ୪ ଜି ମୋବାଇଲ ସେବା ମଧ୍ୟ ଠପ ହୋଇଯାଇଛି। ଏଭଳି ଦିନେ କି ଦୁଇ ଦିନ ନୁହଁ ଗତ ଏକ ବର୍ଷରୁ ଅଧିକା ସମୟ ଧରି ବିଦ୍ୟୁତ ଚାଲିଯିବାର କିଛି ସମୟ ମଧ୍ୟରେ ମୋବାଇଲ ସେବା ଅଚଳ ହୋଇଯାଉଛ। ବିଦଦ୍ୟୁତ ଚାଲିଗଲେ ଜେନେନେଟର ଓ ବ୍ୟାଟେରୀରେ ମୋବାଇଲ ସେବା ଯୋଗାଇଦେବା ନିୟମ ରହିଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ବିଏସ୍ଏନଏଲ ବିଭାଗର ସିମନବାଡି ଏକ୍ସଚେଞ୍ଜରେ ଜେନେନେଟର ଅଚଳ ହୋଇପଡ଼ିଥିଲେ ମଧ୍ୟ ବିଭାଗ ତାକୁ ମରାମତି କରିବା କିମ୍ବା ବଦଳାଇବା କୌଣସି ପଦକ୍ଷେପ ନେଉ ନ ଥିବା ଜଣାପଡିଛି। ବିଭାଗରର ଏଠାରେ କୌଣସି କାର୍ଯ୍ୟାଳୟ ନ ଥିବାରୁ ହିତାଧିକାରୀ ମାନେ କାହାରିପାଖରେ ଅଭିଯୋଗ କରିପାରୁ ନ ଥିବା ସିମନବାଡି ଗ୍ରାମର ସମିତିସଭ୍ୟ ସାଧୁ ନାୟକ କହିଛନ୍ତି । ସେ ଅଭିଯୋଗ କରି ଆହୁରି କହିଛନ୍ତି ଯେ ,ବିଏସ୍ଏନଏଲ ଏବଂ ଘରୋଇ ୪ଜି ସେବା ଗୋଟିଏ ମୋବାଇଲ ଟାୱାରରେ ରହିଛି ଏବଂ ବିଦ୍ୟୁତ ସଂଯୋଗ ମଧ୍ୟ ଗୋଟିଏରେ ହିଁ ରହିଛି ତେଣୁ କରେଣ୍ଟ କଟିଗଲେ ଏହି ଦୁଇଟି ମୋବାଇଲ ଓ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହେଉଛି। ଫଳରେ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକରେ ଲୋକମାନେ କୌଣସି କାର୍ଯ୍ୟରେ ଆସି ହଇରାଣ ଭୋଗିବା ଛଡା କୌଣସି ଉପାୟ ନାହିଁ ବୋଲି ସେ କହିଛନ୍ତି । ସେହିପରି ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକମାତ୍ର ଏଟିଏମ୍ ଉପରେ ପ୍ରାୟ ୮ଟି ପଞ୍ଚାୟତ ତଥା ସିମନବାଡି ସମେତ ବାଡାବାଙ୍ଗା, କିରିକୁଟି, ତିଲୋରୀ, ବୁଡଗୁଡା, ଗୁମିକିଆ, କୋଟଗଡ ବ୍ଲକର ପକାରୀ ଏବଂ ବାଲିଗୁଡା ବ୍ଲକ ଋତୁଙ୍ଗିଆ ସମେତ ରାଜପଥରେ ଯାତାୟତ କରୁଥିବା ଲୋକମାନେ ନିର୍ଭର କରୁଛନ୍ତି ଏହା ବାରମ୍ବାର ଅଚଳ ଯୋଗୁ ବହୁତ ସମସ୍ୟା ହେଉଛି। ଧ୍ୟାନଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।