ବିଦ୍ୟୁତ୍‌ ସମସ୍ୟା: ୬ ସ୍କୁଲର ୧୨ଶହ ସେବାଶ୍ରମ ଛାତ୍ରୀଛାତ୍ର ହନ୍ତସନ୍ତ

ଜମନକିରା,୫।୧୦ (ରବୀନ୍ଦ୍ର ପ୍ରସାଦ ଦାନି): ଜମନକିରା ବିଦ୍ୟୁତ୍‌ ସେକ୍ସନ ଅଧୀନ ୬ ସ୍କୁଲରେ ବିଦ୍ୟୁତ୍‌ ଯୋଗାଣରେ ସମସ୍ୟା ଯୋଗୁ ପ୍ରାୟ ୧୨ଶହରୁ ଅଧିକ ଅନ୍ତେବାସୀ ପିଲା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁସାରେ, ଜମନକିରା ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା କଟଙ୍ଗପାଣି ସେବାଶ୍ରମ, ଜାମୁମାଲ ସେବାଶ୍ରମ, ଟିକିଲିପଡା ସେବାଶ୍ରମ, ଷଣ୍ଢପଥର ସେବାଶ୍ରମ, ଷଣ୍ଢପଥର ଉଚ୍ଚ ବିଦ୍ୟାଳୟ ଓ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୨ଦିନ ହେବ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିଛି। କେଉଁଠି ଟ୍ରାନ୍ସଫର୍ମର ପୋଡିଯାଇଥିବାବେଳେ ଆଉ କେଉଁଠି ତାରଛିଣ୍ଡି ମରାମତି ହୋଇପାରିନାହିଁ। ବିଦ୍ୟୁତ୍‌ ନ ଥିବା ଯୋଗୁ ପିଲାମାନେ ଠିକ୍‌ରେ ଶୌଚ ହୋଇପାରୁ ନାହାନ୍ତି। ଗାଧୋଇବା ପାଇଁ ନିକଟସ୍ଥ ପୋଖରୀ କିମ୍ପା ନଳକୂଅ ଉପରେ ନିର୍ଭର କରୁଛନ୍ତି। ପାଣି ମୋଟର ଚାଲୁ ନ ଥିବାରୁ ଗାଧୁଆ ଘର, ପାଇଖାନା ଘର ସଫା ହୋଇପାରୁନାହିଁ। ଲାଇଟ୍‌ ଜଳୁ ନ ଥିବାରୁ ପିଲାମାନେ ପାଠ ପଢିବାରେ ଅସୁବିଧା ସୃଷ୍ଟି ହେଉଛି। ଏପରି କି ପିଇବା ପାଣି ପାଇପାରୁ ନାହାନ୍ତି। ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଦ୍ୟୁତ୍‌ ବିଭାଗ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି। ଖୁବ୍‌ଶୀଘ୍ର ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଭିଭାବକ, ଅବିଭାବିକାମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ଭାଗୀରଥି ପଟେଲ ଓ କୁଚିଣ୍ଡା ବିଦ୍ୟୁତ୍‌ ବିଭାଗ ଉପଖଣ୍ଡ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଏହାର ପ୍ରତିକାର କରାଯିବ ବୋଲି ଉଭୟ ପ୍ରତିଶ୍ରୁତି ଦେଇଛନ୍ତି।

Share