ଆନ୍ତଃରାଜ୍ୟ ସଞ୍ଚାରଣ ଶୁଳ୍କ ହ୍ରାସ ହେଲେ ବିଦ୍ୟୁତ ଦର କମିବ

ଭୁବନେଶ୍ୱର,୩୦।୪(ବ୍ୟୁରୋ): କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଞ୍ଚାରଣ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କ ହ୍ରାସ କରିବାକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍‌ର ବିଦ୍ୟୁତ ସଞ୍ଚାରଣ ନେଟୱାର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ ସଞ୍ଚାରିତ ହୋଇଥାଏ। ଗତ ଏକ ଦଶନ୍ଧିରେ କରାଯାଇଥିବା ଆକଳନ ଅନୁଯାୟୀ, ୨୦୧୧-୧୨ ଆର୍ଥିକ ବର୍ଷରେ ଆଇସିଟିଏସ ଶୁଳ୍କ ୟୁନିଟ୍‌ ପିଛା ୨୪ ପଇସା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ପ୍ରାୟ ୧ ଟଙ୍କା ହୋଇଛି। କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହଙ୍କୁ ପତ୍ର ଲେଖି ପିଜିସିଆଇଏଲ୍‌ର ଏହି ବିଦ୍ୟୁତ ସଞ୍ଚାରଣ ଶୁଳ୍କର ପୁନଃବିଚାର ନିମନ୍ତେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାରଣ ଦେୟ ଓଡ଼ିଶା ପାଇଁ ୨୦୧୧-୧୨ରେ ୧୭୯ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ୭୩୪ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହି ଆଶାତୀତ ଦର ବୃଦ୍ଧି ସମସ୍ୟାର ସମାଧାନର ଉପାୟ ଉପରେ ମନ୍ତ୍ରୀ ମିଶ୍ର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରି ଅବ୍ୟବହୃତ ଭିତ୍ତିଭୂମିର ଖର୍ଚ୍ଚକୁ ଉପଭୋକ୍ତାଙ୍କ ଉପରେ ଲଦି ନ ଦେବାକୁ କହିଛନ୍ତି। ଏହାସହ ଶକ୍ତି ବ୍ୟବସ୍ଥା ବିକାଶ ପାଣ୍ଠି ଭଳି ସରକାରୀ ପାଣ୍ଠିରୁ ଭରଣା କରିବାକୁ ପରାମର୍ଶ ଦେଇଛନ୍ତି। ସେ ମଧ୍ୟ ବିଦ୍ୟୁତ ଆକ୍ଟ-୨୦୦୩ର ଧାରା ୧୦୭ ପ୍ରକାରେ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗକୁ ଏ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରି ବିଦ୍ୟୁତ ପରିବହନ ଦେୟକୁ ଜାତୀୟ ବିଦ୍ୟୁତ ନିୟମ ୨୦୦୩ ଓ ଟାରିଫ ପଲିସି ଆଧାରରେ ସ୍ଥିର କରିବାକୁ ଅନୁରୋଧ କରିଛନ୍ତି। ଅନ୍ତଃରାଜ୍ୟ ସଞ୍ଚାରଣ ଶୁଳ୍କ କମ୍‌ କଲେ ବିଦ୍ୟୁତ ଦର ମଧ୍ୟ କମା ଯାଇପାରିବ ବୋଲି ମନ୍ତ୍ରୀ ମିଶ୍ର ଜଣାଇଛନ୍ତି।

Share