ଗାଁ ରାସ୍ତା ମଝିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଖୁଣ୍ଟ

ଡୁଙ୍ଗୁରିପାଲି,୧୩ା୭( ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଦିଗଶିରା ଗାଁ ଶିବ ମନ୍ଦିର ନିକଟ ଚାରି ଛକ ରାସ୍ତା ମଝିରେ ଦୀର୍ଘ ଦିନ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ବସିଥିବା ଏକ ଖୁଣ୍ଟ ରହିଛି। ରାସ୍ତାରେ ଏହି ଖୁଣ୍ଟ ଥିବାରୁ ଧନ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଯାଉଛି। ଦିଗଶିରା ମେହେରପଡ଼ା ହନୁମାନ ମନ୍ଦିର ଛକରୁ ଆରମ୍ଭ ହୋଇଥିବା ଏହି ରାସ୍ତା ପଥେଇପଡାରୁ-ଆରଡି ରାସ୍ତାକୁ ସଂଯୋଗ ହୋଇଛି। ଏହି ରାସ୍ତା ଦେଇ ଦିଗଶିରା ଉପ ବଜାର ପ୍ରାଙ୍ଗଣ ମାର୍କେଟ, ଇନ୍ଦିରାନଗର ଓ ଡାହୁକଗୁଡ଼କୁ ଲୋକେ ଯାତାୟାତ କରିଥାନ୍ତି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଖୁଣ୍ଟ ସମ୍ମୁଖ ରାସ୍ତା ପାର୍ଶ୍ୱ ରେ ୪ ଗୋଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ପ୍ରତିଦିନ କୋମଳମତି ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଏହି ରାସ୍ତା ଦେଇ ପାଠ ପଢି ଯାଉଛନ୍ତି। ଦିଗଶିରା ଗାଁ ବସ୍ତିରୁ ଲୋକେ ଧନୁଯାତ୍ରା ପଡ଼ିଆ ଅଙ୍ଗ ନଦୀକୁ ଶୌଚ, ଗାଧୋଇବା, ନିତ୍ୟ କର୍ମ ପାଇଁ ଯାଇଥାନ୍ତି। ଦିଗଶିରା ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ ସ୍କୁଲ ଛାତ୍ରୀଛାତ୍ର ପାଠ ପଢିବାକୁ ଯାଉଛନ୍ତି। ପ୍ରତିଦିନ ଅଙ୍ଗ ନଦୀରୁ ବାଲି ବୋଝେଇ ଟ୍ରାକ୍ଟରଗୁଡ଼ିକ ଯାତାୟାତ ହେଉଛି। ଏହାଛଡା ଚାରିଚକିଆ ଯାନ ଯାଉଛି। ତେବେ ବିପଦଜନକ ଭାବେ ଥିବା ଉକ୍ତ ବିଦ୍ୟୁତ ଟ୍ରାନ୍ସଫର୍ମର ଖୁଣ୍ଟରେ କୌଣସି କାରଣରୁ ଗାଡ଼ି ପିଟି ହୋଇ ଦୁର୍ଘଟଣା ଘଟିବା ଆଶଙ୍କା ଏଡାଇ ଦିଆଯାଇ ନ ପାରେ। ଫଳରେ ଲୋକେ ସେହି ରାସ୍ତା ଦେଇ ଯାତାୟାତ କରିବାକୁ ଭୟ କରୁଛନ୍ତି। ଯଥାଶୀଘ୍ର ଏହି ଖୁଣ୍ଟ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଉଛି।

Share