ନୂଆଦିଲ୍ଲୀ, ୯।୧୨: ବନ୍ୟା, ବାତ୍ୟା ପ୍ରଭାବିତ ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ଲାଗି ବିଜେଡି ଏମ୍ପି ପ୍ରଶାନ୍ତ ନନ୍ଦ ଗୁରୁବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସଭାରେ ଶୂନ୍ୟକାଳ ଆଲୋଚନାରେ ଭାଗନେଇ ନନ୍ଦ କହିଥିଲେ, ଉତ୍ତର ଭାରତ ମହାସାଗରରେ ସୃଷ୍ଟ ବାତ୍ୟା ଯୋଗୁ ଭାରତ କ୍ଷତିଗ୍ରସ୍ତ ହେଉଛି। ବାତ୍ୟା ଯୋଗୁ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହେବା ସହ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଉଛି। ପ୍ରତିବର୍ଷ ଦୁଇ ତିନୋଟି ବାତ୍ୟା ଭାରତରେ ଲ୍ୟାଣ୍ଡଫଲ୍ କରୁଛି। ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ଓ ତାର ଛିଡ଼ିବା ଯୋଗୁ ଦୀର୍ଘଦିନ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଉଛି। ସହରକୁ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ ବୋଲି ବିଜେଡି ଏମ୍ପି କହିଥିଲେ। ବ୍ୟାଙ୍କ ସମେତ ବିଭିନ୍ନ କାର୍ଯ୍ୟାଳୟ ବହୁଦିନ ଅଚଳ ରହିଯାଉଛି। ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହେବାକୁ ମାସେ ଦୁଇମାସ ଲାଗିଯାଉଛି। ତେଣୁ ବାତ୍ୟା ଭୟ ଥିବା ଉପକୂଳ ଜିଲାଗୁଡ଼ିକରେ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ନର୍ମାଣ ଲାଗି ନନ୍ଦ ଦାବି କରିଛନ୍ତି।