ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟଣା: ୯ ଗିରଫ

ଦେବଗଡ଼,୧୨ା୧୧(ଡି.ଏନ୍‌.ଏ.): ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମରେ ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ଜୀବନ୍ତ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗତ ସୋମବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ କେସ୍‌ ନମ୍ବର ୫୦୭/୨୨ରେ ୯ ଶିକାରୀଙ୍କୁ ଗିରଫ କରିଛି ରିଆମାଳ ପୋଲିସ। ସେମାନେ ହେଲେ ସେହି ଗ୍ରାମର ବିଷ୍ଣୁ ପ୍ରଧାନ(୩୭), ତଅଁଳୁ ସାହୁ(୨୫),ପ୍ରତାପ କିସାନ(୨୬)(ବାଙ୍ଗୁରୁ),ତନୁ ପ୍ରଧାନ(୩୫),ବିକାଶ କିସାନ(୨୮),କାଇଁସର ଗ୍ରାମର ଅର୍ଜୁନ ପ୍ରଧାନ(୩୬),ପ୍ରମୋଦ ପ୍ରଧାନ(୩୫)(ପରି), ନିଶାବିରା ନୂଆଁସାହିର ମାନସ ସାହୁ(୩୨)ଓ ବାବୁଲି ସାହୁ (୩୫)। ଖବର ମୁତାବକ ତାର ସଂସ୍ପର୍ଶରେ ସେହି ଗ୍ରାମର ଦେବ ସାହୁ (୫୦)ଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳେ ପରିବାର ଓ ଗ୍ରାମବାସୀ ଜାଣିଥିଲେ। ସଙ୍ଗେ ସଙ୍ଗେ ଦେବଙ୍କ ପୁଅ କୁନା ସାହୁ(୨୫) ରିଆମାଳ ଥାନାର ଦାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ରିଆମାଳ ଥାନାଧିକାରୀ ଲଳିତା ପ୍ରଧାନ ସଦଳବଳ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ୧୦ ଜଣ ଶିକାରୀ ମିଶି ଏପରି ବେଆଇନ ଭାବେ ଶିକାର ପାଇଁ ତାର ବିଛାଇଥିବା ପକ୍ଷରୁ ପୋଲିସ ତଦନ୍ତରୁ ଜାଣିଥିଲା। ଏହି ମାମଲା ଥାନାଧିକାରୀ ହାତକୁ ନେଇ ଜୋରଦାର ତଦନ୍ତ ଚଳାଇଥିଲେ। ନିଶାବିରା ଓ ନିକଟସ୍ଥ କାଇଁସର ଗ୍ରାମର ଶିକାରୀଓ ସାମିଲ ଥିବା ଜଣାପଡ଼ିଥିଲା। ଘଟଣା ଘଟାଇ ଶିକାରୀମାନେ ନିଶାବିରା ପାଣୁନାଳୀ କଣ୍ଟା ଜଙ୍ଗଲରେ ଲୁଚି ଶିକାର କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଶନିବାର ସକାଳେ ଥାନାଧିକାରୀଙ୍କ ସହ ଏକ ପୋଲିସ ଦଳ ଉକ୍ତ ସ୍ଥାନରେ ପହଞ୍ଚି ଚଢ଼ାଉ କରିଥିଲା। ଦୁଇ ଦଳ ହୋଇ ଶିକାରୀମାନେ ଲୁଚି ରହିଥିଲେ। ପୋଲିସ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ସେମାନଙ୍କ ପାଖରୁ ଏକ ଦେଶୀ ବନ୍ଧୁକ,ଟାଙ୍ଗିଆ, ୫ଶହ ମିଟର ବିଦ୍ୟୁତ ତାର,୧ଶହ ମିଟରର ଆଲୁମିନିୟମ ତାର, ବିଦ୍ୟୁତ ତାରରେ ହୁକ୍‌ ପାଇଁ ବ୍ୟବହାର ହେଉଥିବା ବାଉଁଶ,କାଠ ଓ ବାଉଁଶରେ ତିଆରି ୧୬ଟି କାଠି,୩ଟି ମୋବାଇଲ,୬ଟି ଖାଲି ବିଅର ବୋତଲ,୨୨ଲିଡ୍‌ ପ୍ଲେଟ୍‌ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯାଉଛି।