ହାତୀ କ୍ଷତିଗ୍ରସ୍ତ ପରିବାରକୁ ମିଳୁନି ସରକାରୀ ସହାୟତା

ମୋରଡ଼ା,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟୀ ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ ହେଉଛି। କିନ୍ତୁ ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ମିଳୁନାହିଁ, ଯାହା ଫଳରେ ଗରିବ ଲୋକେ ବାସହୀନ ଅବସ୍ଥାରେ ଦିନ କାଟୁଛନ୍ତି।
ମୟୂରଭଞ୍ଜ ଜିଲା ସୁରେଇଡିହି ପଞ୍ଚାୟତ ଅଧୀନ ରାମନଗର ଗ୍ରାମର ସୁନ୍ଦର ମାର୍ଣ୍ଡିଙ୍କ ଘରକୁ ଏକ ହାତୀପଲ ଗତ ଏପ୍ରିଲ ୮ ତାରିଖ ରାତିରେ ତାଙ୍କର ଘରକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିଲେ। ତେବେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ସୁନ୍ଦର ଏବଂ ତାଙ୍କ ଘର ଲୋକେ। କିନ୍ତୁ ଦୁଃଖର ବିଷୟ ସୁନ୍ଦରଙ୍କୁ ଏଯାଏ ସରକାରୀ କ୍ଷତିପୂରଣ ମିଳିପାରିନାହିଁ। ସୁନ୍ଦରଙ୍କ ଘର ଭାଙ୍ଗିଥିବା ନେଇ ସୁରେଇଡିହି ସରପଞ୍ଚ, ରାଜସ୍ବ ନିରୀକ୍ଷକ ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ସରକାରୀ ସହାୟତା ମିଳିନାହିଁ। ସୁନ୍ଦର ଏବଂ ତାଙ୍କ ପରିବାର ଲୋକେ ବିପଦସଙ୍କୁଳ ଭାବେ ଜୀବନକୁ ବାଜି ଲଗାଇ ସେହି ହାତୀ ଭାଙ୍ଗିଥିବା ଘରେ ରହୁଛନ୍ତି ଏବଂ ବାହାରେ ରୋଷେଇ କରି ଖାଉଛନ୍ତି।

ରାସଗୋବିନ୍ଦପୁର ରେଞ୍ଜର ମହାବୀର ସିଂ ମୁର୍ମୁଙ୍କୁ ପଚାରିବାରୁ ହାତୀ କ୍ଷତିଗ୍ରସ୍ତ ପରିବାର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିଲେ ୧ ମାସ ଭିତରେ ସରକାରୀ ସହାୟତା ମିଳିବ ଏବଂ ଯଦି ବି ସୁନ୍ଦରଙ୍କ ପରିବାରକୁ ମିଳିନାହିଁ, ଯଥାଶୀଘ୍ର ସୁନ୍ଦରଙ୍କୁ କିପରି ସରକାରୀ ସହାୟତା ମିଳିବ ସେ ପଦକ୍ଷେପ ନେବେ।

Share