ମଦଭାଟିରେ ହାତୀ ଉପଦ୍ରବ : ଯୁବକଙ୍କ ଜୀବନ ଗଲା

ବାରିପଦା ଅଫିସ,୬ା୬: ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀପଲଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ହେଲେ ବିହାରର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ। ସେ ବାରିପଦାରେ ରହି ଏକ ମଦ ଦୋକାନରେ କାର୍ଯ୍ୟ କରୁଥିଲେ। ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ ଲାଗିରହିଥିବା ବେଳେ ରବିବାର ବିଳମ୍ବିତ ରାତିରେ ମହୁଲିଆ ପଟରୁ ଏହି ହାତୀପଲଟି ମଞ୍ଚାବନ୍ଧା ପଟକୁ ଯାଉଥିଲେ। ସେଠାରେ ଥିବା ଏକ ଦେଶୀ ମଦଭାଟିର ମହୁଲି ବାସ୍ନା ପାଇ ହାତୀପଲ ପହଞ୍ଚିଥିଲେ। ଏହି ସମୟରେ ଭାଟିରେ ଧୀରଜ ଶୋଇଥିବା ଅବସ୍ଥାରେ ହାତୀ ଉଠାଇ କଚାଡ଼ି ମାରି ଦେଇଥିବା ଜଣାପଡ଼ିଛି। ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି। ଏଥିସହ ହାତୀପଲ ମହୁଲିଆ ଅଞ୍ଚଳରେ ଶ୍ୟାମ ସିଂ ଏବଂ ବାପୁନ ସିଂ ନାମକ ଦୁଇଜଣ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି । ଏବେ ହାତୀପଲ ଶଙ୍ଖାଭଙ୍ଗା ସଂରକ୍ଷିତ ଜଙ୍ଗଲରେ ରହିଥିବା ସୂଚନା ମିଳିଛି।

Share