ଶୁଣ୍ଢରେ ଟେକି କଚାଡ଼ିଲା, ଅନ୍ତବୁଜୁଳା ବାହାର କରିଦେଲା ହାତୀ

ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡିସର ନିକଟରେ ଶନିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ନାମ ଗଜିନ୍ଦ୍ର ଜାନୀ(୫୫) ଓ ସେ ନିକଟସ୍ଥ ଝାରବନ୍ଦ ଗ୍ରାମର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ସନ୍ଧ୍ୟାରେ ଗଜିନ୍ଦ୍ର ଚିଙ୍ଗୁଡିସର ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଆସୁଥିବାବେଳେ ହଠାତ୍‌ ଏକ ବଣୁଆ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଏହି ସମୟରେ ହାତୀଟି ପ୍ରଥମେ ଗଜିନ୍ଦ୍ରଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲା। ପରେ ତା’ର ଦାନ୍ତରେ ଗଜିନ୍ଦ୍ରଙ୍କ ପେଟକୁ ଆଘାତ କରିଥିଲା। ଏହାଦ୍ୱାରା ଗଜିନ୍ଦ୍ରଙ୍କ ଅନ୍ତବୁଜୁଳା ବାହାରି ପଡ଼ିବା ସହ ଗୁରୁତର ହୋଇଥିଲେ। ପରେ ସେଠାରେ ଥିବା ଲୋକେ ପାଟି କରିବାରୁ ହାତୀଟି ଚାଲିଯାଇଥିଲା। ଏପଟେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଗଜିନ୍ଦ୍ରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କୁ ଚିକିତ୍ସା ପରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିସତ୍ାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ହାତୀ ଆସିଥିବା ଖବର ପାଇ ଜୁନାଗଡ଼ ବନବିଭାଗ ହାତୀର ଗତିବିଧି ଉପରେ ତଦନ୍ତ କରୁଥିବା ବେଳେ ଏହା ଭବାନୀପାଟଣା ବ୍ଲକ ତିଲଜୁଡି ଆଡୁ ଆସିଥିବା ସୂଚନା ମିଳିଛି।