ଗାଈ ଚରାଇବାକୁ ଯାଇ ହାତୀ ଆକ୍ରମଣରେ ଚାଲିଗଲା ଜୀବନ

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ଭାଗିରଥୀ ମହାନ୍ତ(୫୫) ଏବଂ ତାଙ୍କ ଘର ମଇଦାନକେଲ ନିକଟ ବାସୁଦେବପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଗତ ୨୦ ତାରିଖରେ ଭାଗିରଥୀ ଗାଈ ଚରାଇବାକୁ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲକୁ ଯାଇ ଆଉ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ୨୨ ତାରିଖରେ ପରିବାର ଲୋକ ତାଙ୍କ ମୃତଦେହ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରେ ପାଇ ବନବିଭାଗକୁ ସୂଚନା ଦେଇଥିଲେ। ସଦର ରେଞ୍ଜର ବିଜୟ ମହାନ୍ତ,ଟାଉନ ଫରେଷ୍ଟର ପ୍ରଦୀପ ବାରିକ, ମଇଦାନକେଲ ବିଟ୍‌ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାଏକ ଭାଗିରଥୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ୨୦ ତାରିଖରେ ମଇଦାନକେଲ ଓ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୧୮ ଟିକିଆ ହାତୀପଲ ଥିଲେ। ବନବିଭାଗ ବିଳମ୍ବରେ ସୂଚନା ପାଇବାକୁ ନେଇ ବିଭାଗର ପାଟ୍ରୋଲିଂ ଉପରେ ପ୍ରଶ୍ନ ଉଠିଛି। ସଂରକ୍ଷିତ ଜଙ୍ଗଲରେ ଏଭଳି ଘଟଣା ଘଟିଛି। ତାଙ୍କୁ ସରକାରଙ୍କ ନିୟମାନୁଯାୟୀ କ୍ଷତିପୂରଣ ମିଳିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି।