ବବ୍ କଟ୍ ହେୟାର୍ ଷ୍ଟାଇଲ୍ କରି ଯୁବତୀ ଓ ମହିଳାମାନେ ବେଶ୍ ଷ୍ଟାଇଲିଶ୍ ଲାଗନ୍ତି। ଏହି ହେୟାର ଷ୍ଟାଇଲ୍ ବହୁତ ପୁରୁଣା କିନ୍ତୁ ଆଜି ବି ଏହା ଫ୍ୟାଶନ୍ରେ ଅଛି। ହେଲେ କେବେ କୌଣସି ପ୍ରାଣୀ ଏଭଳି ହେୟାର ଷ୍ଟାଇଲ୍ କରିଥିବା କଥା ଜାଣି ନ ଥିବେ। ତାମିଲନାଡୁର ସେନଗାମ୍ଲମ୍ର ମୁନ୍ନାରଗୁଡିରେ ରାଜଗୋପାଲସ୍ବାମୀ ମନ୍ଦିର ଅଛି, ଯେଉଁଠି ଥିବା ଏକ ମାଈହାତୀ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ। କାରଣ ହେଉଛି ତା’ର ବବ୍ କଟ୍ ହେୟାର୍ଷ୍ଟାଇଲ୍। ଏହି ହେୟାର୍ ଷ୍ଟାଇଲ୍ରେ ହାତୀଟି ବେଶ୍ ସୁନ୍ଦର ଦେଖାଯାଏ। ଆଉ ଯିଏ ବି ତାକୁ ଦେଖେ ଘଡିଏ ଅନାଇ ରହିଯାଏ। ଏହି ମନ୍ଦିରକୁ ଯିଏ ବି ଆସନ୍ତି ଏହି ସୁନ୍ଦର ହାତୀ ସହ ଫଟୋ ଉଠାନ୍ତି। ହାତୀର ଯତ୍ନ ନେଉଥିବା ମାହୁନ୍ତ ରାଜଗୋପାଲ କହନ୍ତି, ‘ମୁଁ ହାତୀଟିକୁ ନିଜ ସନ୍ତାନ ଭଳି ଭଲ ପାଏ। ତେଣୁ ତାକୁ କିଛି ଖାସ୍ ଲୁକ୍ ଦେବାକୁ ଚାହୁଁଥିଲି। ଆଉ ଏହି ବବ୍ କଟ୍ କରେଇଲି। ତେବେ ଏଥିପାଇଁ ପ୍ରଥମେ ତା’ କେଶ ବଢାଇବା ଲାଗି କିଛି ଖାସ୍ ପଦକ୍ଷେପ ନେଇଥିଲି। କେଶ ସଫା ରଖିବା ଲାଗି ଖରାଦିନେ ମୁଁ ହାତୀର କେଶକୁ ୩ ଥର ଧୋଇଥାଏ। ଆଉ ଅନ୍ୟ ଋତୁରେ କେଶକୁ ଥରେ ଭଲରେ ସଫା କରିଥାଏ।’