ସମ୍ବଲପୁର, ୧୨।୮ (ବ୍ୟୁରୋ): ଅଗଷ୍ଟ ୧୨ ଅର୍ଥାତ୍ ବୁଧବାର ହେଉଛି ଅନ୍ତର୍ଜାତୀୟ ହସ୍ତୀ ଦିବସ। ଏହି ହାତୀ ଦିବସରେ ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଅନ୍ତର୍ଗତ କେଶାପାଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ହାତୀର ବୟସ ୫ ରୁ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଓ ପ୍ରାଣୀଧନ ବିଭାଗ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି । ହାତୀର ବ୍ୟବଚ୍ଛେଦ କଲାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ କହିଛି ।
ଅନ୍ୟପଟେ ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଗ୍ରାମ ନିକଟରେ ହାତୀପଲ ଆସି ଧାନ ଫସଲ ନଷ୍ଟ କରୁଥିଲେ । ହାତୀପଲ ସହିତ ଏହି ହାତୀଟି ଆସୁଥିଲା। ଏ ନେଇ ବନ ବିଭାଗକୁ ଅଭିଯୋଗ କଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିଲେ ବୋଲି ସେମାନେ କହିଛନ୍ତି ।