ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ସ୍ଥାନରେ ଲୋକମାନେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିବାରୁ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ଏବେ ବିହାରର ବୈଶାଳୀ ଜିଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭିଡିଓରେ ଏକ ଉଛୁଳା ନଦୀରେ ହାତୀ ପିଠିରେ ମାହୁନ୍ତ ବସିଛନ୍ତି। ମାହୁନ୍ତ ହାତୀକୁ କୂଳକୁ ନେବାକୁ ଚେଷ୍ଟା କରୁଥିଲେ ହେଁ ଉଭୟେ ବୁଡ଼ି ଯାଇଥିଲେ। ପରେ ହାତୀ ଏବଂ ମାହୁନ୍ତ ସୁରକ୍ଷିତ ଭାବେ କୂଳରେ ପହଞ୍ଚିଥିଲେ।
ସ୍ଥାନୀୟ ଲୋକେ କୁହନ୍ତି, ହାତୀ ରୁସ୍ତାମପୁର ଘାଟରୁ ପାଟନା କେଥୁକି ଘାଟ ପର୍ଯ୍ୟନ୍ତ ଏକ କିଲୋମିଟର ଦୂର ପହଁରିଥିଲା। ମଙ୍ଗଳବାର ଏହି ହାତୀଟି ମାହୁନ୍ତ ସହ ଆସିଥିଲା। କିନ୍ତୁ ଗଙ୍ଗା ନଦୀର ଜଳ ହଠାତ୍ ବୃଦ୍ଧି ପାଇବାରୁ ଉଭୟେ ଫସିଯାଇଥିଲେ।
ଏତେବଡ଼ ପ୍ରାଣୀକୁ ଉଦ୍ଧାର କରିବା ପାଇଁ ଏକ ଡଙ୍ଗା ଆବଶ୍ୟକ ଥିଲା କିନ୍ତୁ ମାହୁନ୍ତ ନିକଟରେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ସେ ହାତୀ ସହିତ ନଦୀ ପାର ହେବାକୁ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ଲୋକେ କହିଥିଲେ ମାହୁନ୍ତ ଜଣକ ହାତୀର ବେକ ଏବଂ କାନରେ ଧରି ପହଁରି ପହଁରି କୂଳରେ ପହଞ୍ଚିଥିଲେ।
ଏହି ଭୟାନକ ଭିଡିଓ ଲୋକଙ୍କୁ ଚକିତ କରିଛି। ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁଳ ଭାବରେ ଶେୟାର କରାଯାଉଛି।