କେନ୍ଦୁଝର,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗତ ୨୦ ଦିନରେ ୪ ମାଈ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଜିଲାରେ ଖୁବ ଚର୍ଚ୍ଚା ହୋଇଥିଲା। ମୃତ୍ୟୁର କାରଣ ଜାଣିବା ପାଇଁ ରାଜ୍ୟର ବରିଷ୍ଠ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀ ରୋଗ ଗବେଷକ କେନ୍ଦୁଝରରେ ପହଞ୍ଚି ଯାଞ୍ଚ କରିଥିଲେ। ଏପରିକି ମୃତ ହାତୀର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ହାତୀ ମୃତ୍ୟୁର କାରଣ ଜୀବାଣୁ ଜନିତ ବୋଲି ସାମ୍ପଲ ଟେଷ୍ଟରୁ ଜଣାପଡ଼ିଥିବା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧିକାରୀ ମାନସ ମୁର୍ମୁ କହିଛନ୍ତି। ଅନ୍ୟପକ୍ଷେ ରୋଗ ସଂକ୍ରମଣ ଆଶଙ୍କା କରି ଉକ୍ତ ରେଞ୍ଜ ଅଧୀନ ସମସ୍ତ ଗ୍ରାମର ଗୃହପାଳିତ ପ୍ରାଣୀଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଟିକାକରଣ କାର୍ଯ୍ୟ ଜାରି ରହିଛି। ସେହିପରି ବନ ବିଭାଗ ପକ୍ଷରୁ ଅନ୍ୟ ଚଳପ୍ରଚଳ କରୁଥିବା ହାତୀମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଉଥିବା କୁହାଯାଇଛି।