ସମସ୍ତଙ୍କ ସହଯୋଗରେ ରୋକାଯାଇପାରିବ ହାତୀ ମୃତ୍ୟୁ

କେନ୍ଦୁଝର,୧୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। କେନ୍ଦୁଝର ଜିଲାରେ ହାତୀଙ୍କ ଚଳପ୍ରଚଳ ଅନ୍ୟ ଜିଲା ଅପେକ୍ଷା ଅଧିକ ରହିଛି। ଏପରି କି ଜିଲାରେ ହାତୀଙ୍କ ଉପଦ୍ରବ ବଢିବା ସହ ହାତୀ-ମଣିଷଙ୍କ ମଧ୍ୟରେ ତିକ୍ତତା ଦେଖାଦେଉଛି। ଏଣୁ ଉଭୟ ହାତୀ ଓ ମଣିଷଙ୍କ ସୁରକ୍ଷା ଜରୁରୀ ନେଇ ବନ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା ହୋଇଥିଲା।

ଅନ୍ୟପକ୍ଷେ କିଛି ବର୍ଷ ହେଲା ଜିଲାରେ ବିଭିନ୍ନ କାରଣରୁ ହାତୀ ମୃତ୍ୟୁ ଉଦ୍‌ବେଗର କାରଣ ହୋଇଥିବା ବେଳେ ଏହାକୁ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ଡିଏଫ୍‌ଓ ଧନରାଜ ଏଚ୍‌.ଡି, ଉପ ଜିଲାପାଳ ରାମଚନ୍ଦ୍ର କିସ୍କୁ, ବିଡିଓ ସପନ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ, ଜିଲା ପରିଷଦ ସଭ୍ୟ ଶାନ୍ତିଲତା ଗିରି ଓ ଅରୁଣ କୁମାର ବାରିକ, ରେଞ୍ଜ ଅଧିକାରୀ ମାନସ ମୁର୍ମୁ, ପୂର୍ବତନ ଅଧ୍ୟକ୍ଷ ଯଦୁମଣି ଠାକୁର, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ସମିତି ମେମ୍ବର, ବିଶିଷ୍ଟ ବ୍ୟକ୍ତିଙ୍କ ସହ ବନ ବିଭାଗ କର୍ମଚାରୀ ଯୋଗଦେଇ ଜିଲାରେ ହାତୀଙ୍କ ସମସ୍ୟା, ସୁରକ୍ଷା ଉପରେ ଆଲୋଚନା କରିଥିଲେ।