Categories: ଜାତୀୟ

ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ, ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୧ : ଦେଶରେ ବିଦ୍ୟୁତ୍‌ ଆଘାତ ଯୋଗୁ ହାତୀ ମୃତ୍ୟୁ ଘଟଣା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲାର ବିଚାର କରାଯାଇ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି ହୋଇଛି। ପ୍ରଧାନ ବିଚାରପତି ଏନ୍‌.ଭି.ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ହିମା ଖୋଲିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଇନଜୀବୀ କାର୍ତ୍ତିକ ଶୁକ୍ଳାଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ବିଚାର କରି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ଦେଶରେ ହାତୀ ବଂଶ କମି କମି ଚାଲିଥିବା ବେଳେ ସ୍ବାଭାବିକ ମୃତ୍ୟୁ ପରିବର୍ତ୍ତେ ବିଦ୍ୟୁତ୍‌ ଆଘାତରେ ସେମାନଙ୍କର ଅଧିକ ମୃତ୍ୟୁ ଘଟୁଥିବା ଆଇନଜୀବୀ ଖଣ୍ଡପୀଠଙ୍କ ସମ୍ମୁଖରେ ତଥ୍ୟ ଉପସ୍ଥାପନ କରିଥିଲେ। ଏଭଳି ମୃତ୍ୟୁ ନେଇ ପରିବେଶ-ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହାତୀ ଟାସ୍କ ଫୋର୍ସ ରିପୋର୍ଟ-୨୦୧୦ ‘ଗଜାହ’ରେ ମଧ୍ୟ ଉଦ୍‌ବେଗ ପ୍ରକାଶ କରାଯାଇଛି।

ସଂସଦରେ ଆଲୋଚିତ ହୋଇଥିବା ପ୍ରସଙ୍ଗକୁ ଆବେଦନରେ ଉଲ୍ଲେଖ କରାଯାଇଛି। ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ୫୧୦ ହାତୀଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୩୩୩ ହାତୀଙ୍କ ମୃତ୍ୟୁ ମଣିଷ ସହିତ ମୁହାଁମୁହିଁ ଘଟିବା ଯୋଗୁ ବିଦ୍ୟୁତ୍‌ ଅଘାତରେ ହୋଇଥିବା ଦର୍ଶାଯାଇଛି।

ସେହିପରି ସଂସଦର ଶୀତ ଅଧିବେଶନରେ ଲୋକ ସଭାରେ ହୋଇଥିବା ଚର୍ଚ୍ଚାରେ କୁହାଯାଇଥିଲା ଯେ, ଦେଶରେ ହାତୀ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି। ୨୦୧୬-୧୭ରେ ୫୬ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୮-୧୯ରେ ୮୧ ହାତୀଙ୍କ ମୃତ୍ୟୁ ଘଟିଛି। ୨୦୦୯ରୁ ୨୦୨୦ ମଧ୍ୟରେ ଦେଶରେ ମୋଟ ୭୪୧ ହାତୀଙ୍କ ମୃତ୍ୟୁ ଘଟିଥିବା ପିଟିଶନ୍‌ରେ ଉଲ୍ଲେଖ କରାଯାଇଛି।

Share