ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ୍ୟୁ ଘଟଣା: ୪ ଶିକାରୀ ଗିରଫ

ଦେବଗଡ,୨୦।୨(ଶେଖର ଝାଙ୍କର): ରିଆମାଳ ବନ୍ୟାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଗରିଆପାଲି ନିକଟସ୍ଥ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେରେ ଆସି ହାତୀର ମୃତ୍ୟୁ ହୋଇଛି। ଏହି ଘଟଣାରେ ୪ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି । ଗିରଫ ୪ ଜଣ ଶିକାରୀ ଗରିଆପାଲି ଆଖପାଖ ଅଞ୍ଚଳର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଘଟଣାର ଅଧିକ ତଦନ୍ତ ପାଇଁ ଦୁଇଟି ସୱତନ୍ତ୍ର ଟିମ ଗଠନ କରାଯାଇଛି । ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିବା ବେଳେ ଦେବଗଡ ଫରେଷ୍ଟର ପ୍ରୀତମ ସାହୁଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ ଗଠନ କରାଯାଇଥିବା ଦେବଗଡ ବନଖଣ୍ଡ ଅଧିକାରୀ ମଗର ଧାନାଜି ରାଓସୋ ସୂଚନା ଦେଇଛନ୍ତି । ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ସୂଚନା ଦେବାକୁ ବନ ବିଭାଗ ମନା କରିଥିବାବେଳେ ଏ ଘଟଣାରେ ଗିରଫ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ମୃତ ଦନ୍ତା ହାତୀ ଅନୁଗୁଳ ଅଞ୍ଚଳରୁ ଆସିଥିବା ବେଳେ ବନବିଭାଗର ଅବହେଳା ପାଇଁ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିଲା । ତେବେ କାହାର ଅବହେଳା ପାଇଁ ଦନ୍ତା ହାତୀର ମୃତ୍ୟୁ ଘଟିଲା ସେନେଇ ମଧ୍ୟ ତଦନ୍ତ ଜାରି ରହିଥିବା ବେଳେ ଯେଉଁ ଅଧିକାରୀ ବା କର୍ମଚାରୀଙ୍କ ଅବହେଳା ସାମ୍ନାକୁ ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ରାଓସୋ ପ୍ରକାଶ କରିଛନ୍ତି ।