ଗାଁ ଛାଡୁନାହାନ୍ତି ହାତୀପଲ

ଭଞ୍ଜନଗର,୫।୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ରେଞ୍ଜରେ ଗତ କିଛି ଦିନ ମଧ୍ୟରେ ହାତୀପଲ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀମାନେ ଚିନ୍ତିତ ଅଛନ୍ତି। ଗତ ସପ୍ତାହରେ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ିରେ ହାତୀପଲ ଜଣେ ଚାଷୀଙ୍କୁ ଦଳି ମାରିଦେଇଥିଲା। ଏହାପରଠାରୁ ଗାଁରେ ଆତଙ୍କ ଲାଗି ରହିଛି। ତେଣୁ ଅଧିକାଂଶ ଚାଷୀ ହାତୀ ଭୟରେ ଆଉ ଧାନ ଫସଲ ଜଗିବାକୁ ଜମିକୁ ଯାଉନାହାନ୍ତି। ହାତୀ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଗୁଣ୍ଡିରିବାଡ଼ି ସମେତ ସମ୍ପୃକ୍ତ ଅଞ୍ଚଳର ଆଖପାଖ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି।

ଶନିବାର ସନ୍ଧ୍ୟାରେ ହାତୀପଲ ପୁଣି ଗୁଣ୍ଡିରିବାଡ଼ି ଗ୍ରାମରେ ପହଞ୍ଚି ତୀର୍ଥ ପ୍ରଧାନଙ୍କ ୧୦ଭରଣ ଜମିର ଧାନ ଫସଲକୁ ଖାଇ ଦଳି ଚକଟି ଦେଇଥିବା ଜଣାପଡିଛି। ବନ ବିଭାଗ କର୍ମଚାରୀ ଏବଂ ଚାଷୀମାନେ ମିଶି ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ହାତୀପଲ ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିବା ପରେ ଜଙ୍ଗଲକୁ ଯାଇଥିଲେ। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି। ଏଥିସହ ଅନ୍ୟାନ୍ୟ ରେଞ୍ଜରେ ମଧ୍ୟ ହାତୀ ଉପଦ୍ରବ ବୃଦ୍ଧି ଯୋଗୁଁ ଫସଲ କ୍ଷତି ବଢୁଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।

Share