ଷ୍ଟେଶନରେ ପଶିଲା ହାତୀ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ ରେଳ ଷ୍ଟେଶନକୁ ଏକ ହାତୀ ବାଟବଣା ହୋଇ ପଶିଆସି ଦୀର୍ଘ ସମୟ ଧରି ବୁଲିଥିଲା। ରବିବାର ଭୋରରେ ରେଳ ଷ୍ଟେଶନରେ ହାତୀକୁ ଦେଖି ରେଳ କର୍ମଚାରୀ ଓ ଯାତ୍ରୀ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ହାତୀକୁ ଘଉଡାଇବା ପାଇଁ ରାୟଗଡ଼ା-ବିଜୟନଗରମ୍‌ ରେଳପଥରେ ଦୀର୍ଘ ୧ ଘଣ୍ଟା ଧରି ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ଆନ୍ଧ୍ରପ୍ରଦେଶର ମାନ୍ୟମ୍‌ ଜିଲା ବନ ବିଭାଗ କର୍ମଚାରୀ ଷ୍ଟେଶନରେ ପହଞ୍ଚି ହାତୀକୁ ଘଉଡାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ହାତୀ ରେଳ ଷ୍ଟେଶନରେ କୌଣସି କ୍ଷୟକ୍ଷତି କରି ନ ଥିବା ଜଣାପଡ଼ିଛି। ରାୟଗଡ଼ା ଜିଲା ସୀମାରୁ ମାତ୍ର ୧୮ କିଲୋମିଟର ଦୂରରେ ଏହି ଘଟଣା ପରେ ରାୟଗଡ଼ା ବନ ବିଭାଗ ତତ୍ପର ହୋଇଉଠିଛି।

ମିଳିଥିବା ସୂଚନା ମୁତାବକ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ଥିବା ବୀରଗୋଟମ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀପଲ ଗତ କିଛିଦିନ ତଳେ ବାହାରକୁ ଚାଲି ଆସିଥିଲେ। ତେବେ ହାତୀପଲ ଭିତରୁ ଗୋଟିଏ ହାତୀ ବାଟବଣା ହୋଇ ଶନିବାର ରାତିରେ ପାର୍ବତୀପୁରମ୍‌ ସହରରେ ପଶି ଥିଲା। ରବିବାର ହାତୀଟି ରେଳ ଷ୍ଟେଶନରେ ପ୍ରବେଶ କରିଥିବା ଦେଖି ରେଳ କର୍ମଚାରୀ ଜରୁରିକାଳୀନ ସେବା ପାଇଁ ସୂଚନା ଦେଇଥିଲେ। ଏପରିକି ବନ ବିଭାଗକୁ ଆଲର୍ଟ କରାଯାଇଥିଲା। ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇଥିଲେ। ଫଳରେ ହାତୀଟି ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି।

Share