
ସମ୍ବଲପୁର,୧୪।୩: ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ବନାଞ୍ଚଳ ଅଧୀନ ସୁନାତେନପାଲି ଗାଁରେ ଭୟର ବାତାବରଣ ଖେଳି ଯାଇଛି। ଗୁରୁବାର ରାତିରେ ସ୍ଥାନୀୟ ବନାଞ୍ଚଳରୁ ୨ଟି ହାତୀ ଗାଁକୁ ପଶି ଆସିଥିଲେ। ହାତୀକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ଏକ ଟିମ୍ ଗାଁ ପହଞ୍ଚି ହାତୀକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ହେଲେ ହାତୀଦ୍ୱୟ ଏଣେତେଣେ ଘୁରି ବୁଳିଥିବା ବେଳେ ହାତୀକୁ ଘଉଡାଇବା ପାଇଁ ବନ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଛି। ଏନେଇ ରାତି ସାରା ହାତୀକୁ ବନ କର୍ମଚାରୀ ଏବଂ ଗ୍ରାମବାସୀ ଜଗି ରହି ଉଜାଗର ହୋଇଥିଲେ।
ସ୍ଥାନୀୟ ବନାଞ୍ଚଳରୁ ଗୋଟିଏ ଦନ୍ତା ହାତୀ ଏବଂ ଅନ୍ୟ ଏକ ମାଈ ହାତୀ ଗାଁକୁ ପଶି ଆସିଛି। ବନ କର୍ମଚାରୀ ହାତୀକୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ହେଲେ ହାତୀଦ୍ୱୟ ଗାଁଠାରୁ କିଛି ଦୂରରେ ଅଟକି ରହିଥିବା ସୂଚନା ମିଳିଛି।