ହାତୀ-ବନ କର୍ମଚାରୀ ମୁହାଁମୁହିଁ, ୩ ଆହତ

ଭଞ୍ଜନଗର,୧୯।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଗୋଟିଏ ଛୁଆ ହାତୀ ଆକ୍ରମଣରେ ଜଣେ ବନରକ୍ଷୀ ଆହତ ହୋଇଛନ୍ତି । ଏଥିସହ ୨ଜଣ କର୍ମଚାରୀ ହାତୀ ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ତଳେ ପଡ଼ି ଆହତ ହୋଇଛନ୍ତି । ଆହତ ୩ଜଣ ହେଲେ ବନପାଳ କୈଳାସ ନାୟକ, ବନରକ୍ଷୀ ଶ୍ରୀକାନ୍ତ କୁମାର ମଳିକ ଏବଂ ଅସ୍ଥାୟୀ କର୍ମଚାରୀ ସନାତନ ଓଦଣ୍ଡ୍ରା ।
ପ୍ରକାଶ ଯେ, ଶନିବାର ସକାଳେ ତାରସିଂ ରେଞ୍ଜ ଗାୟଗଣ୍ଡା ସେକ୍ସନ ଆମ୍ବଝରା ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଗୁଣ୍ଡିରିବାଡ଼ିରୁ ଶିଉଳି ଆଡ଼େ ଏକ ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସିଥିଲେ। ବନ ବିଭାଗର ୫ଜଣିଆ ଟିମ୍‌ ହାତୀର ଗତିବିଧି ଉପରେ ନଜର ରଖିବାକୁ ଘଟଣାସ୍ଥଳକୁ ଯାଇଥିଲେ । ଏହି ସମୟରେ ଏକ ମାଈ ହାତୀ ଏବଂ ତାର ଛୁଆ ସହ କର୍ମଚାରୀମାନଙ୍କ ମୁହଁାମୁହିଁ ହୋଇଥିଲା। ଫଳରେ ମା ଓ ଛୁଆ ହାତୀ କର୍ମଚାରୀଙ୍କୁ ଗୋଡ଼ାଇଥିଲେ। ବନପାଳ କୈଳାସ ନାୟକ ଓ ସନାତନ ଓଦଣ୍ଡ୍ରା ତଳେ ପଡ଼ି ଆହତ ହୋଇଥିଲେ। ଛୁଆ ହାତୀ ଆକ୍ରମଣରେ ଶ୍ରୀକାନ୍ତ ମଳିକ ଆହତ ହୋଇଥିଲେ। ଅନ୍ୟ ଦୁଇଜଣ ଦୌଡ଼ି ପଳାଇବାରୁ ରକ୍ଷା ପାଇଯାଇଥିଲେ। ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ଆହତମାନଙ୍କୁ ଉଦ୍ଧାର କରି ଚିକିସତ୍ା ପାଇଁ ଭଞ୍ଜନଗର ହସପିଟାଲକୁ ଆଣିଥିଲେ। ଅପରପକ୍ଷେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଉତ୍ତର ଘୁମୁସର, ଦକ୍ଷିଣ ଘୁମୁସର ବନଖଣ୍ଡ ଏବଂ ଟାଟା ପାୱାର ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ବୟ ବୈଠକ ବସିଥିଲା। ବିଦ୍ୟୁତ୍‌ ଆଘାତରେ ଯେଭଳି କୌଣସି ବନ୍ୟପ୍ରାଣୀ ବିପଦରେ ନପଡ଼ିବେ ଏବଂ ବାରମ୍ବାର ବିଦ୍ୟୁତ୍‌ କାଟ୍‌କୁ କିଭଳି ରୋକାଯିବ ସେ ଉପରେ ଆଲୋଚନା ହୋଇଥିଲା। ଡ଼ିଏଫଓ ସୁଦର୍ଶନ ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲୀପ କୁମାର ରାଉତ, ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀ ନୃସିଂହ ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।