ଖମନଖୋଲରେ ହାତୀପଲ, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡ଼ା,୧୭ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଗୁରୁବାରଠାରୁ ଆଠଟିକିଆ ହାତୀପଲ ପଶି ଆସିଛନ୍ତି। ପଡ଼ୋଶୀ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି। ସେପଟେ ହାତୀପଲକୁ ଟ୍ରାକ୍‌ କରିବା ସହ ଘଉଡ଼ାଇବାକୁ ଫରେଷ୍ଟର ଗିରିଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଉଦ୍ୟମ ଜାରି ରଖିଛନ୍ତ। ଏହି ହାତୀପଲରେ ଗୋଟିଏ ଦନ୍ତା ସମେତ ପାଞ୍ଚୋଟି ମାଈ ହାତୀର ଦୁଇଟି ଛୁଆ ହାତୀ ଥିବା ବେଳେ ଗତକାଲି ଏହି ହାତୀପଲ ବୌଦ୍ଧ ଜିଲା କଣ୍ଟାମାଳ ବନାଞ୍ଚଳର ନାରାୟଣ ପ୍ରସାଦ ଅଞ୍ଚଳର ଲାଦେନ ଗାଁରୁ ଆସି ବାଲିଗୁଡ଼ା ବନାଞ୍ଚଳର ମୁଠାବାଲି ଦେଇ ଖମଣଖୋଲ ନିକଟସ୍ଥ ଦାରାସିଂ ଜଙ୍ଗଲରେ ରହିବାପରେ ସେଠାରୁ ଯାଇ ବର୍ତ୍ତମାନ କଳାହାଣ୍ଡି ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ହାତୀକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଭୟଭୀତ ନ ହେବା ପାଇଁ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ସହ ହାତୀପଲର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି ବନ ବିଭାଗ। ସେପଟେ ଘଟଣାସ୍ଥଳରେ ବାଲିଗୁଡ଼ା ଡିଏଫଓ ବିଶ୍ବରାଜ ପଣ୍ଡା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

Share