ଲିମାମେଡା ନିକଟରେ ହାତୀପଲ

ଗୁଣପୁର,୧୫।୧୧(ଡି.ଏନ୍‌.ଏ): ରାୟଗଡା ଜିଲା ଗୁଣପୁର ସହର ନିକଟ ଲିମାମେଡା ଅଞ୍ଚଳରେ ଗତ ସପ୍ତାହ ହେବ ୬ ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିବାବେଳେ ସେମାନଙ୍କୁ ଦେଖିବା ପାଇଁ ପ୍ରତିଦିନ ସହରବାସୀଙ୍କ ସମେତ ଆଖାପାଖ ଗ୍ରାମର ଲୋକଙ୍କ ଭିଡ଼ ଜମୁଛି। ଲୋକେ ଅମାନିଆ ହୋଇ ହାତୀଙ୍କ ନିକଟକୁ ଯାଇ ଫୋଟୋ, ସେଲଫି ଉଠାଇବା ସହ ବାଣ ଫୁଟାଇ, ତୁରି ଫୁଙ୍କି ସେମାନଙ୍କୁ ଅଧିକା ରଗାଉଥିବା ଦେଖିବାକୁ ମିଳିଛି। କିଏ କେଉଁ ଗଛ ଉପରେ ତ ଆଉ କିଏ ବିଦ୍ୟୁତ ଟାୱାର ଉପରେ ଚଢି ହାତୀଙ୍କୁ ଦେଖି ଚିଡାଉ ଥିବାବେଳେ ସେମାନଙ୍କୁ ହାତୀ ପଲ ଗୋଡାଉଥିବା ଦେଖିବାକୁ ମିଳିଛି। ସୋମବାର ହାତୀ ପଲ ଦେଖଣାହାରୀଙ୍କ ୨ଟି ବାଇକକୁ ଭାଙ୍ଗି ଦେଇଛନ୍ତି। ବନ ବିଭାଗ ପକ୍ଷରୁ ଲୋକଙ୍କୁ ବାରମ୍ବାର ସଚେତନ ଓ ବାରଣ କରିବା ସତ୍ତ୍ୱେ ଏହାକୁ ଖାତିର ନକରି ଲୋକମାନେ ଦେଖଣାହାରି ସାଜି ହାତୀଙ୍କୁ ବିରକ୍ତ କରୁଛନ୍ତି। ଯାହା ଏବେ ବନ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ହାତୀଙ୍କ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ତଥାପି ମଧ୍ୟ ଲୋକେ ଅମାନିଆ ହେଉଛନ୍ତି। ଏହା କୌଣସି ମୂହୁର୍ତ୍ତରେ ମଧ୍ୟ ବିପଦକୁ ଟାଣି ଆଣିବ ବୋଲି ହି ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Share